କନକ ବ୍ୟୁରୋ: ୨୪ ରେ ସର୍ବାଧିକ ଚର୍ଚ୍ଚାରେ ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । କାରଣ ପୂର୍ବ ବିଜେଡି ସରକାରରେ ବାରମ୍ୱାର ଦାବି ପରେ ବି ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ପ୍ରକ୍ରିୟା କରିନଥିଲେ ପୂର୍ବ ସରକାର । ଏହାରି ଭିତରେ ଆସି ପହଞ୍ଚିଥିଲା ୨୪ ସାଧାରଣ ନିର୍ବାଚନ । ଯେହେତୁ ବାରମ୍ୱାର ଦାବି ପରେ ରତ୍ନଭଣ୍ଡାର ଖୋଲୁନଥିଲା ବିଜେଡି ସରକାର ତେଣୁ ଚାବି ଥିଲା କି ନାହିଁ ସେନେଇ ବି ସନ୍ଦେହ ବଢିଥିଲା । ଶେଷରେ ଏହି ପ୍ରସଙ୍ଗକୁ ନେଇ ଜୋର ଧରିଥିଲା ପ୍ରଚାର ରାଜନୀତି । ଖୋଦ ପ୍ରଧାନମନ୍ତ୍ରୀଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଏନେଇ କାଠଗଡ଼ାକୁ ଟାଣିଥିଲେ ନବୀନ ବାବୁଙ୍କୁ । କେବଳ ରାଜ୍ୟରେ ନୁହେଁ ବରଂ ଦେଶରେ ରତ୍ନଭଣ୍ଡାର ଚାବିକୁ ନେଇ ବଢିଥିଲା ଚର୍ଚ୍ଚା । ତେବେ ଆଜି ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ ଥିଲା ରତ୍ନଭଣ୍ଡାର ?
ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଶ୍ରୀଜିଉଙ୍କର ମହଣ ମହଣ ସୁନା ଏଠାରେ ଗଚ୍ଛିତ ହୋଇ ରହିଛି । ଇଏ ଆଜି କି କାଲିର କଥା ନୁହେଁ ବରଂ ବର୍ଷବର୍ଷର କଥା । କାରଣ ତେଣୁ ବିଜେପି ସରକାର ଆସିବା ପରେ ସଙ୍ଗେ ସଙ୍ଗେ ରତ୍ନଭଣ୍ଡାର ଖୋଲାଯିବାକୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେନେଇ କାମ ବି ହେଲା । ଅର୍ଥାତ୍ ଅପେକ୍ଷାର ଅନ୍ତ ହେଲା, ରତ୍ନଭଣ୍ଡାର ଖୋଲିଲା ।
ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ ହେଲା ତଦରାଖ କମିଟି
ଶ୍ରୀମନ୍ଦିରକୁ ନେଇ ସବୁବେଳେ ଚର୍ଚ୍ଚା ଥାଏ। କାରଣ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଏହାସହ ଜଡ଼ିତ ହୋଇରହିଛି । ୧୨ ମାସରେ ୧୩ ପରବ ପାଳନ ହୁଏ ଶ୍ରୀମନ୍ଦିରରେ । ବିଶେଷ କରି ରଥଯାତ୍ରା ସମୟରେ ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହୁଅନ୍ତି ମହାବାହୁ । ଯେବେ ଶ୍ରୀଜଗନ୍ନାଥଙ୍କ ଭଙ୍ଗା ମୁକୁଟ ଲଗାଯାଇଥିଲା ସେବେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ମହାପାତ୍ର କହିଥିଲେ, ଠାକୁରଙ୍କ ରତ୍ନଭଣ୍ଡାରରେ ମହଣ ମହଣ ସୁନା ରହିଛି । ହେଲେ ଠାକୁର ଭଙ୍ଗା ଅଳଙ୍କାର କାହିଁକି ପିନ୍ଧିବେ ? କିନ୍ତୁ ବିଜେଡି ସରକାର ଏନେଇ କର୍ଣ୍ଣପାତ କରିନଥିଲା । ଯାହା ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ତଦାରଖ କମିଟି ଗଠନ ହେଲା । କମିଟିର ମୁଖ୍ୟ ହେଲେ ଜଷ୍ଟିସ ବିଶ୍ବନାଥ ରଥ। କେମିତି ରତ୍ନଭଣ୍ଡାର ଖୋଲିବ ସେନେଇ ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାର ଏସଓପି ତିଆରି କଲେ ।
ଶେଷରେ ରତ୍ନଭଣ୍ଡାର ଖୋଲିଲା । ଜଷ୍ଟିସ ବିଶ୍ବନାଥ କହିଥିଲେ,ଭିତର ରତ୍ନଭଣ୍ଡାରକୁ ଯେଉଁ ଚାବି ନେଇ ଯାଇଥିଲୁ ତାହା ଡୁପ୍ଲିକେଟ୍ ବୋଲି ଲାଗିଥିଲା । ଦୀପ ଜଳାଇ ଆମେ ଭିତରକୁ ଯାଇ ଦେଖିଲା ବେଳକୁ କିଛି ଆଲମାରୀ ଖୋଲା ଥିଲା ଆଉ କିଛିରେ ଚାବି ପଡ଼ିଥିଲା । ୨ଟି ତାଲା ପଡ଼ିବାର ବ୍ୟବସ୍ଥା ଥିଲା । କିନ୍ତୁ ତାଲା ପଡ଼ିନଥିଲା । ସେହିପରି ୨ଟି କାଠ ସିନ୍ଦୁକରେ ତାଲା ନଥିଲା, ଖୋଲା ପଡ଼ିଥିଲା । ୧୯୭୮ ମସିହାରେ ବହୁ ବିଦ୍ୱାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । କିନ୍ତୁ କାହିଁକି ତାଲା ପକାଇନଥିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଥିଲେ । ଏହାସହ ଭିତର ଭଣ୍ଡାରରେ ଦେବଦେବୀଙ୍କ ବିଗ୍ରହ ମଧ୍ୟ ରହିଥିଲା । ମୋତି ମାଣିକ୍ୟ ତୁଳନାରେ ସୁନା ଅଳଙ୍କାର ଅଧିକ ଥିଲା। ତେବେ ଲଫାପା ଭିତରେ ଚାବି ସହ ଯେଉଁ ଲିଷ୍ଟ ଥିଲା, ତାହା ୧୯୭୮ ମସିହାର ନା ୨୦୧୮ ମସିହାର ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।
ରତ୍ନଭଣ୍ଡାରର ଗହନ କଥା
ଶ୍ରୀମନ୍ଦିରକୁ ନେଇ ଯେତିକି ଚର୍ଚ୍ଚା ହୁଏ, ରତ୍ନଭଣ୍ଡାରକୁ ନେଇ ବି ସେତିକି ଚର୍ଚ୍ଚା ହୁଏ । ପ୍ରକୃତରେ ତାହା ଭିତରେ କେତେ ଅଳଙ୍କାର ରହିଛି । ତାହା ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି । ହେଲେ ଆପଣ ଜାଣିଛନ୍ତି କି ରତ୍ନଭଣ୍ଡାର ଅଛି କେଉଁଠି ? ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଅରୁଣ ସ୍ତମ୍ଭ, ପରେ ପରେ ସିଂହଦ୍ବାର । ତାପରେ ବାଇସି ପାହାଚ ପାର ହୋଇ ଭୋଗ ମଣ୍ଡପ ନାଟ ମନ୍ଦିର ଦେଇ ଭକ୍ତ ପହଞ୍ଚିଥାଆନ୍ତି ଗରୁଡ ସ୍ତମ୍ବ ପାଖରେ। ଆଉ ତାହା ପରେ ଜଗ ମୋହନ, ତା ଆଗକୁ ଗର୍ଭଗୃହ.. ତା ଭିତରେ ରତ୍ନବଦେଦୀରେ ଶୋଭା ପାଅନ୍ତି ମହାବାହୁ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହାରି ଭିତରେ ରତ୍ନ ଭଣ୍ଡାର କେଉଁଠି ଅଛି ? ଜଗମୋହନର ଡାହାଣ ପଟରେ ରହିଛି ବାହାର ଓ ଭିତର ରତ୍ନ ଭଣ୍ଡାର। ହେଲେ ଏ ରତ୍ନଭଣ୍ଡାର ଖୋଲେ କେମିତ ? କେବେ ଖୋଲା ଯାଏ? ବାହାର ରତ୍ନ ଭଣ୍ଡାର ତାଲା ଖୋଲିବା ପାଇଁ ଦରକାର ତିନି ଜଣଙ୍କ ପାଖରେ ଥିବା ତିନୋଟି ଚାବି। ପ୍ରଥମତଃ ଗଜପତି ମହାରାଜା, ଦ୍ବିତୀୟ ଭଣ୍ଡାର ମେକାପ ଏବଂ ତୃତୀୟ ମନ୍ଦିର ପ୍ରଶାସକ ।
ଏହାସହ ଅନ୍ୟ ୧୦ ଜଣ ସେବକ ସାକ୍ଷୀ ରହିଲେ ଯାଇ ବାହାର ରତ୍ନ ଭଣ୍ଡାର ଖୋଲାଯାଇପାରିବ। ସେହିପରି ଭିତର ରତ୍ନ ଭଣ୍ଡାର ତାଲା ଖୋଲିବା ପାଇଁ ଦରକାର ଆଉ ଦୁଇଟି ଅଲଗା ଚାବି। ଏହି ଚାବି ରହିଛି ଗଜପତି ମହାରାଜା ଏବଂ ମନ୍ଦିର ପ୍ରଶାସକଙ୍କ ପାଖରେ । ଭିତର ରତ୍ନଭଣ୍ଡାରକୁ ଯିବାକୁ ହେଲେ ବାହାର ରତ୍ନ ଭଣ୍ଡାର ଖୋଲି ଯିବାକୁ ପଡେ। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ମହାପ୍ରଭୁଙ୍କ ନିତିକାନ୍ତି ବନ୍ଦ ରଖିବାକୁ ପଡେ। ଆଉ ଏଥିପାଇଁ ୧୨ ରୁ ୧୫ ଘଣ୍ଟା ସମୟ ଦରକାର ହୁଏ। ଜଗନ୍ନାଥଙ୍କ ରତ୍ନଭଣ୍ଡାର ଏଭଳି ଜଟିଳ ଏବଂ ସୁରକ୍ଷିତ ବ୍ୟବସ୍ଥା ଆଉ କେଉଁଠି ଥିବ କି ନାହିଁ ସନ୍ଦେହ । ଭିତର ରତ୍ନଭଣ୍ଡାର ଶେଷଥର ପାଇଁ ୧୯୮୫ରେ ଖୋଲାଯାଥିଲା ।
ଏବଂ ତା ପୂର୍ବରୁ ୧୯୭୮ ମସିହାରେ ଖୋଲା ଯାଇ ଏହାର ଗଣତିମଣତି କରାଯାଥିଲା । ଏହା ଛଡା ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ବିଭିନ୍ନ ଉତ୍ସବ ଓ ପର୍ବ ପାଇଁ ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ବ୍ୟବହାର ହୋଇଆସୁଛି । ତେବେ ରତ୍ନଭଣ୍ଡାର ଚାବି ହଜିବା ନେଇ ଗୁଜବ ସୃଷ୍ଟି ହେବା ପରେ ସମ୍ପୃକ୍ତ ମାମଲାରେ ହାଇକୋର୍ଟ ନିଜ ରାୟରେ ଚାବି ହଜିବା ପ୍ରସଙ୍ଗରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ। ତେବେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ ୨୦୨୪ ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବା ପାଇଁ କହିଥିଲେ। ଏହା ହେଉଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର କୌଣସି ସାଧାରଣ ରତ୍ନଭଣ୍ଡାର ନୁହେଁ ଯେ ଚାବି ହଜିଯିବ କି ଡୁପ୍ଲିକଟେ ଚାବିରେ ଖୋଲି ଦିଆଯାଇପାରିବ। ଏ ସବୁ ଭିତରେ ଖୋଲିଥିଲା ଠାକୁରଙ୍କ ରତ୍ନଭଣ୍ଡାର । ଆଉ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାମ । କିନ୍ତୁ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷରୁ ମହାପ୍ରଭୁଙ୍କ ଅଳଙ୍କାରର ଗଣତିମଣତି ହେବ । ହେଲେ କେତେ ପରିମାଣରେ ଅଳଙ୍କାର ରହିଛି ତାହା ସର୍ବସାଧାରଣରେ ପ୍ରକାଶ ପାଇବ କି ନାହିଁ ତାହା କିନ୍ତୁ ଜଣାପଡ଼ିନାହିଁ । ଯେହେତୁ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଖୋଲାସରିଛି ,ତେଣୁ ଆଗାମୀ ଦିନରେ ଗଣତି ମଣତି ବି ଭଲରେ ହେବା ସହିତ ସବୁ ଅଳଙ୍କାର ମହାପ୍ରଭୁଙ୍କୁ ଲାଗି ହେବ ବୋଲି ସାଧାରଣରେ ଆଶା ରହିଛି ।