କନକ ବ୍ୟୁରୋ: ହିତାଧିକାରୀ ପାଇବେ ନୂଆ ରାସନକାର୍ଡ । ଇ-କେୱାଇସି ଅପଡେଟ ପରେ ନୂଆ ହିତାଧିକାରୀଙ୍କୁ ରଙ୍ଗୀନ ରାସନକାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜିଲ୍ଲା, ବ୍ଲକସ୍ତରରେ ହିତାଧିକାରୀଙ୍କୁ ନୂ୍ଆ କାର୍ଡ ବଣ୍ଟନ କରାଯିବ । ଅନ୍ୟପଟେ ନୂଆ ରାସନକାର୍ଡରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।
ରାସନକାର୍ଡକୁ ନେଇ ଶାସକ-ବିରୋଧୀଙ୍କ କାଦୁଅ ଫିଙ୍ଗା ରାଜନୀତି ଭିତରେ ଆସିଛି ଯୋଗାଣ ବିଭାଗର ଚିଠି । ନୂଆ ସରକାରରେ ନୂଆ ରୂପରେ ଆସିବ ରାସନକାର୍ଡ । ରଙ୍ଗ ବଦଳିବ, ଢଙ୍ଗ ବି ବଦଳିବ । ଲାମିନେସନ ସହ ରଙ୍ଗିନ ରାସନକାର୍ଡ ପାଇବେ ହିତାଧିକାରୀ । ଏପ୍ରିଲ ୨୦ ସୁଦ୍ଧା ନୂଆ ରାସନକାର୍ଡ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦୁଇ ପାଦ ଆଗକୁ ଯାଇ ମନ୍ତ୍ରୀ କହିଛନ୍ତି, ବିଜେଡି ଅମଳରେ ବାଦ୍ ପଡ଼ିଥିବା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂଆ ତାଲିକାରେ ସାମିଲ କରାଯାଇଛି । ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି। ତେଣୁ ସର୍ଭେ ସରିବା ଭିତରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳିବା ନେଇ ମନ୍ତ୍ରୀ ଆଶ୍ବସ୍ତ କରିଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏବେ ବି ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିନି ସରକାରୀ ବ୍ୟବସ୍ଥା। ଯେଉଁଥିପାଇଁ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଲୋକ।
ଅନ୍ୟପଟେ କାର୍ଡର ରଙ୍ଗ ପରିବର୍ତ୍ତନ ଓ ନୂଆ ହିତାଧିକାରୀ ତାଲିକାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଦଳୀୟ ଭିତ୍ତିରେ କାର୍ଡ ନବାଣ୍ଟିବାକୁ ଚେତାଇ ଦେଇଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି, ରଙ୍ଗ ବଦଳାଇବା ଛଡ଼ା ଏ ସରକାର ଜାଣିଛି କ’ଣ? ବିଜେପିକୁ ବିରୋଧ କରୁଥିବା ବ୍ୟକ୍ତିଙ୍କର କାର୍ଡ କଟାଯାଇଛି। ବିରୋଧୀଙ୍କ ଅଭିଯୋଗ ଭିତରେ ଇ-କେୱାଇସି ଅପଡେଟ ପରେ ପ୍ରଥମ ଥର ପାଇଁ ଆସିବ ନୂଆ ହିତାଧିକାରୀ ତାଲିକା । ପ୍ରଶ୍ନ ଉଠୁଛି, ନୂଆ ହିତାଧିକାରୀ ତାଲିକାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିଛନ୍ତି ତ ସରକାର?