କନକ ବ୍ୟୁରୋ : ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବିଭିନ୍ନ କାରଣରୁ ବାଦ ପଡ଼ିଥିବା ଓ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଚାରିଦିନ ତଳୁ ରାସନକାର୍ଡ ପୋର୍ଟାଲର ଶୁଭାରମ୍ଭ ହେଲାଣି । କିନ୍ତୁ ବିଡମ୍ବନାର ବିଷୟ ପୋର୍ଟାଲ ଖୋଲୁନି । ଯାହାଫଳରେ ଆବେଦନ କରିବାକୁ ଆସି ହତାଶ ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା ।

Advertisment

ପୁଷ୍ପାଞ୍ଜଳି ନାୟକ..ଘର ରାୟଗଡ଼ା ଜିଲ୍ଲା ଚାନ୍ଦିଲି । ଗରିବ ସ୍ୱାମୀ ମୂଲ ଲାଗିବାକୁ ଯାଇଥିବାରୁ, ରାସନ କାର୍ଡ ପାଇଁ ପୁଷ୍ପାଞ୍ଜଳି ଗର୍ଭବତୀ ଥିଲେ ବି ଖରାରେ ଛୋଟଝିଅକୁ ଧରି ରାୟଗଡ଼ା ବ୍ଳକ୍ ଅଫିସକୁ ଆସିଛନ୍ତି । କିନ୍ତୁ ପୋର୍ଟାଲ ଖୋଲୁନଥିବାରୁ ସେ ଆବେଦନ କରି ପାରୁ ନାହାନ୍ତି । ବଡ କଥା ହେଉଛି, ଆଜି ନହେଲେ କାଲି ଖୋଲିବା ଆଶାରେ ପୁଷ୍ପାଞ୍ଜଳି ୪ ଥର କଷ୍ଟରେ ଆସି ହତାଶ ହେଲେଣି । ବ୍ଳକ ଓ ପୌର କାର୍ଯ୍ୟାଳୟରେ ପୋର୍ଟାଲ ଖୋଲୁ ନଥିବା ସମ୍ପୃକ୍ତ ଅଧିକାରୀ କହୁଥିବା ବେଳେ ଜନସେବା କେନ୍ଦ୍ରରେ ନେଟୱର୍କ ନଥିବାରୁ ହୋଇପାରୁନି । କେବଳ ପୁଷ୍ପାଞ୍ଜଳି ନୁହନ୍ତି, ବହୁ ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧା ନିରାଶ  ହୋଇ ଫେରୁଛନ୍ତି ।

ରାୟଗଡ଼ା ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରିଥାନ୍ତି । ତଥାପି ଏବେ ବି ଜିଲ୍ଳାର ହଜାର ହଜାର ଗରିବ ନୂଆ ରାସନ କାର୍ଡ ଅପେକ୍ଷାରେ ରହିଛନ୍ତି । ଏଥିସହ ଗତ ୨ ବର୍ଷ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଶିଶୁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହାନ୍ତି । ରାୟଗଡ଼ା ଜିଲ୍ଲାରେ ୪୧ ହଜାର ୮୨୧ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ।  କିନ୍ତୁ ୨୦୨୩ରୁ ରାସନ କାର୍ଡ ପୋର୍ଟାଲ ବନ୍ଦ ଥିବାରୁ ଏବେ ଆବେଦନ କରିବାକୁ ଆଶା ବାନ୍ଧିଥିଲେ । ହେଲେ ପୋର୍ଟଲ ଖୋଲୁ ନଥିବାରୁ ଅପେକ୍ଷାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି ।

ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଗରିବ ହିତାଧିକାରୀ  ରାସନ କାର୍ଡ ଖଣ୍ଡେ ପାଇଲେ ଦୁଇଓଳି ଦୁଇମୁଠା ଖାଇବାକୁ ମିଳିବ ବୋଲି ଆଶା ରଖିଥିବା ବେଳେ ହତାଶ ହେଉଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଘୋଷଣା ଘୋଷଣାରେ ରହିଯିବ ।