RATION CARD ISSUE Photograph: (KANAKNEWS)
କନକ ବ୍ୟୁରୋ: ଅଢ଼େଇ ବର୍ଷ ହେଲା ଖୋଲୁନାହିଁ ଖାଦ୍ୟ ସୁରକ୍ଷା ଯୋଜନା ୱେବ ସାଇଟ୍। ଜୟପୁର ବ୍ଳକ ଓ ପୌରାଚଂଳରେ ଗଦା ହେଉଛି ଶହଶହ ଆବେଦନକାରିଙ୍କ ଆବେଦନ ପତ୍ର। ଏପଟେ ବର୍ଷ ବର୍ଷ ଧରି ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରି। କେବେ ୱେବ ସାଇଟ୍ ଖୋଲିବ, ରାସନ କାର୍ଡ ମିଳିବ ପଚାରିଲେ, ବିଭାଗୀୟ ବାବୁ କହୁଛନ୍ତି 'ଆମେ କଣ କରିବୁ, ୱେବ ସାଇଟ୍ ଖୋଲିଲେ କାମ ହେବ' ।
ସରକାରଙ୍କ ଯୋଜନାରେ ଲାଗିଛି ବ୍ରେକ । ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଜୟପୁର ପୌରାଚଂଳର ୧୧ ନଂ ୱାର୍ଡ଼ର ଖିଲି ବତି । ପରିଣତ ବୟସରେ ରୋଗାକ୍ରାନ୍ତ ହୋଇ ଖଟିଆରେ ପଡ଼ିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତା ମିଳୁଛି କିନ୍ତୁ ରାସନ କାର୍ଡ଼ ଅପଡେଟ୍ ହୋଇନଥିବାରୁ ଚିକିତ୍ସା ହୋଇପାରୁନି । କାର୍ଡ଼ ଖଣ୍ଡିକ ଅପଡେଟ୍ କରିବା ପାଇଁ ପୌର ପ୍ରଶାସନ ନେଇଯାଇଛି । ହେଲେ ୱେବ ସାଇଟ୍ ଖୋଲୁନଥିବାରୁ କାର୍ଡ ଅପଡେଟ୍ ହେଉନି କି ଖିଲି ବତୀଙ୍କୁ ଚିକିତ୍ସା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି ।
ଖିଲିଙ୍କ ପରି ଅନେକ ହିତାଧିକାରୀଙ୍କ ଭାଗ୍ୟ ଓ ଭରସା ଏବେ ସରକାରୀ ଅଫିସରେ ଗଦା ହୋଇ ରହିଛି। ପ୍ରାୟ ଅଢ଼େଇ ବର୍ଷ ହେବ ଖାଦ୍ୟ ସୁରକ୍ଷା ଯୋଜନା ୱେବ ସାଇଟ୍ ଖୋଲୁନଥିବା ଅଭିଯୋଗ ହୋଇଛି। ସବୁ ପୌରାଞ୍ଚଳକୁ ବାଦ ଦେଲେ କୋରାପୁଟ ଜିଲ୍ଲାର ୧୪ଟି ବ୍ଳକରେ ୨୦ ହଜାରରୁ ଅଧିକ ଫର୍ମ ପଡ଼ିରହିଛି। ନିର୍ବାଚନ ପୂର୍ବରୁ ରାସନକାର୍ଡ଼କୁ ନେଇ ବଡ଼ବଡ଼ କଥା କହୁଥିଲେ ବର୍ତ୍ତମାନର ସରକାର। ହେଲେ ନିର୍ବାଚନ ପରେ ସବୁ ଚୁପ୍।
ପ୍ରତିଦିନ ବ୍ଳକ ଓ ପୌରାଞ୍ଚଳ ଅଫିସରେ ଆବେଦନକାରୀଙ୍କ ଭିଡ଼ ଲାଗୁଛି। ନିରୁତ୍ସାହ ନକରିବା ପାଇଁ ସେମାନଙ୍କ ଫର୍ମ ପୁରଣ କରି ଲମ୍ବା ତାଲିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି କର୍ମଚାରୀ।
Follow Us