କନକ ବ୍ୟୁରୋ : ଆପଣ ଯଦି ରାସନ୍ କାର୍ଡରେ ଚାଉଳ ପାଉଛନ୍ତି ଆଉ ଇ-କେଓ୍ୱାଇସି କରିନାହାନ୍ତି , ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । କଟିବ ଆପଣଙ୍କ ରାସନ୍ କାର୍ଡ , ଆଉ ଚାଉଳ ଦେବେନି ସରକାର । ଏନେଇ ନିଜେ କହିଛନ୍ତି ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀଙ୍କ କହିବା ଅନୁସାରେ, କେନ୍ଦ୍ର ସରକାର ଇ-କେଓ୍ୱାଇସି ବନ୍ଦ କରିଦେଇଛନ୍ତି । ହେଲେ ଏବେ ବି ରାଜ୍ୟର ପ୍ରାୟ ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନ୍ କାର୍ଡ ହିତାଧିକାରୀ ଇ-କେଓ୍ୱାଇସି କରିନାହାନ୍ତି । ତେଣୁ ଏବେ ଆଉ ସମୟ ନଥିବା କାରଣରୁ ଆସନ୍ତା ମାସରୁ ଯେଉଁ ଲୋକମାନେ ଇ-କେଓ୍ୱାଇସି କରିନାହାନ୍ତି ସେମାନଙ୍କର ଚାଉଳ ବନ୍ଦ କରିଦିଆଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ଆଉ ସମୟ ନାହିଁ, ଏବେ ବି କେୱାଇସି କରିନଥିବା ଲୋକଙ୍କୁ ଚାଉଳ ପଠାଯାଉଛି । ସେ ସବୁକୁ ତାକୁ ବନ୍ଦ କରିଦିଆଯିବ । ଯେଉଁମାନେ ଇ-କେଓ୍ୱାଇସି କରିବେ ନାହିଁ ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର ସମୟ ବଢ଼େଇଲେ ଆମେ ମଧ୍ୟ ବଢ଼େଇବୁ । ଯଦି କିଏ ବାଦ ରହିଯାଇଥିବ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ ।
ସୂଚନା ଅନୁସାରେ ଓଡ଼ିଶାରେ ରହୁଥିବା ଲକ୍ଷ ଲକ୍ଷ ହିତାଧିକାରୀ ଏବେ ବି ଇ-କେଓ୍ୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଇ-କେଓ୍ୱାଇସି ନକରିବା ପଛରେ ଅନେକ କାରଣ ରହିଛି । ଅନେକ ଅଯୋଗ୍ୟ ହିତାଧିକାରୀ ଧରାପଡିବା ଭୟରେ ଇ-କେଓ୍ୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟଓ୍ୱାର୍କ ସମସ୍ୟା ଯୋଗୁଁ ବହୁ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ବୟସ୍କ ଓ ଶଯ୍ୟାଶାୟୀଙ୍କ ଇ-କେୱାଇସି ଅପଡେଟରେ ସମସ୍ୟା ରହିଛି । ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିପାରିନାହାନ୍ତି । ଗରିବଙ୍କ ଚାଉଳରେ ବହୁ ବଡ଼ ବଡ଼ିଆ ଭାଗ ବସାଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ବିଜେପି ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଆରମ୍ଭ ହୋଇଥିଲା ଧରପଗଡ଼ ।