କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ । ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ରଥ । ରାଗ ଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର । ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ।
ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ସେଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଗତ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ମହାଲକ୍ଷ୍ମୀ । କିନ୍ତୁ ମହାପ୍ରଭୁଙ୍କ ଭେଟ ନପାଇ ଅଭିମାନ କରିଥିଲେ ମହାଲକ୍ଷ୍ମୀ । ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିଥିଲେ । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିଥିଲେ । ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ପ୍ରବଳ ଭକ୍ତ ରୁଣ୍ଡ ହୋଇଥିଲେ । ଆଜି ତିନି ରଥର ଦକ୍ଷିଣ ମୋଡ କରାଯାଇ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । । ରାଗ ଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର । ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼ । ବାହୁଡ଼ା ପାଇଁ କରାଯିବ ପ୍ରସ୍ତୁତି ।