କନକ ବ୍ୟୁରୋ : ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଗୁରୁଗ୍ରାମ ସ୍ଥିତ ସାଇ କା ଆଙ୍ଗନ୍ ଠାରେ ପବିତ୍ର ରଥ ଯାତ୍ରା ଉତ୍ସବ ମହା ସମାରୋହରେ ଶହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି ।
ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ରଥ ଉପରେ ଛେରା ପହଁରା କରିଥିଲେ । ଗୁରୁଜୀ ରଥାରୁଢ଼ ମହାପ୍ରଭୁଙ୍କର ଆରତୀ କରିବା ସମୟରେ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଭୁଜରୁ ଫୁଲ ହାର ଖସିପଡ଼ିବା ଘଟଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଦ୍ଭୁତ ଭକ୍ତି ଓ ଆନନ୍ଦର ଲହରୀ ଖେଳାଇ ଦେଇଥିଲା ।
ଗୁରୁଗ୍ରାମ ଏବଂ ହରିଆଣା ଓ ନୂଆଦିଲ୍ଲୀର ବିଭିନ୍ନ ଅଞ୍ଚଳ ସମେତ ଓଡ଼ିଶା ଓ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇଥିଲେ । ବିଦେଶରୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ସଂଯୁକ୍ତ ଆରବ ଏମିରଟ ପ୍ରଭୃତି ଦେଶରୁ ମଧ୍ୟ ବହୁ ଭକ୍ତ ଯୋଗ ଦେଇଥିଲେ ।
ହରିଆଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଉତ୍ସବରେ ଯୋଗଦେଇ ତିନି ଠାକୁରଙ୍କ ଆରତୀ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।
ପୁରୀର ରୋଷେଇମାନଙ୍କ ଦ୍ୱାରା ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯିବା ସହ ଓଡ଼ିଆ ସଂସ୍କୃତିର ପ୍ରସାର ପାଇଁ ଓଡ଼ିଆ ହସ୍ତତନ୍ତ ଓ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା ।