କନକ ବ୍ୟୁରୋ: କୋଟିଆରେ ରଥଯାତ୍ରା, ଆନ୍ଧ୍ରକୁ ବାର୍ତ୍ତା । ସୀମାନ୍ତରୁ ଏକାଠି ରଥ ଟାଣିଲେ ଶାସକ-ବିରୋଧୀ । କଥାରେ ଅଛି ମଇଁଷି ସିଙ୍ଘ ଫଟା, ଯୁଝିଲା ବେଳକୁ ଗୋଟା । ରଥଯାତ୍ରା ଅବସରରେ କୋରାପୁଟ ସୀମାନ୍ତ ଚର୍ଚ୍ଚିତ କୋଟିଆ ଅଞ୍ଚଳରୁ ଆସିଛି ଏହି ଉକ୍ତିକୁ ଯଥାର୍ଥ କଲାଭଳି ଦୃଶ୍ୟ । ରାଜନୈତିକ ମତଭେଦକୁ ଉଭୟ ଶାସକ ଓ ବିରୋଧୀ ମିଳିମିଶି ମହାବାହୁଙ୍କ ରଥ ଟାଣିନେବା ସହ ଭକ୍ତିଭାବରେ ବିଭୋର ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ୫ଜଣ ମନ୍ତ୍ରୀ କୋଟିଆରେ ପହଞ୍ଚି ରଥଯାତ୍ରାରେ ସାମିଲ ହୋଇ ଛେରାପହଁରା କରିବା ସହ ରଥ ଟାଣିଛନ୍ତି । କେବଳ ସରକାରଙ୍କ ମନ୍ତ୍ରୀ ନୁହଁନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପାରମ୍ପରିକ ନୃତ୍ୟ, ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ବାଗତ କରିଛନ୍ତି କୋଟିଆ ଅଞ୍ଚଳବାସୀ । 

Advertisment

ରଥ ଯାତ୍ରାରେ ସାମିଲ ହୋଇ ମନ୍ତ୍ରୀମାନେ ରଥ ଟାଣିବା କିଛି ନୂଆ କଥା ନୁହେଁ । କିନ୍ତୁ ବିବାଦୀୟ କୋଟିଆ ଅଞ୍ଚଳରେ ଏକା ସାଙ୍ଗରେ ରାଜ୍ୟ ସରକାରଙ୍କ ୫ଜଣ ମନ୍ତ୍ରୀଙ୍କ ସହ ବିରୋଧୀ ଦଳଙ୍କ ଏକତା ପଡ଼ୋଶୀ ରାଜ୍ୟକୁ ଦୃଢତାର ବାର୍ତ୍ତା ଦେଇଛି । ଅନେକ ସମୟରେ ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ଚକ୍ରାନ୍ତ କରିଆସୁଛନ୍ତି । ଯାହାକୁ ସଫଳ ହେବାକୁ ଦିଆଯିବ ନାହିଁ, ଦଳମତ ନିର୍ବିଶେଷରେ କୋଟିଆ ପାଇଁ ସମସ୍ତେ ଏକ ହୋଇ ଲଢ଼ିବୁ ବୋଲି ନେତା, ମନ୍ତ୍ରୀ ମାନେ ଏକସ୍ବରରେ କହିଛନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । 

ଓଡ଼ିଶାର ଅଭିନ୍ନ ଅଙ୍ଗ ତଥା ବନ ପାହାଡ଼ ଘେରା କୋଟିଆ ଅଞ୍ଚଳର ବିକାଶ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।