କନକ ବ୍ୟୁରୋ : ରଥଯାତ୍ରା କେବଳ ଓଡିଶାରେ ନୁହେଁ ବରଂ ଏହା ଏବେ ବିଦେଶରେ ମଧ୍ୟ ପାଳିତ ହେଉଛି । ଏହି କ୍ରମରେ ଦୁବାଇରେ ଶହ ଶହ ଭକ୍ତଙ୍କ ଭିଡରେ ରଥଯାତ୍ରା ହୋଇଛି । ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏହି ରଥଯାତ୍ରା ଚଳିତବର୍ଷକୁ ମିଶାଇ ୧୫ ବର୍ଷରେ ପଦାର୍ପଣ କରିଛି । ଭାରତ ବାହାରେ ଯେକୌଣସି ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ତୁଳନାରେ ଦୁବାଇ ରଥଯାତ୍ରା ସବୁଠାରୁ ପୁରୁଣା । ଗତ ୧୫ ବର୍ଷ ଧରି ଓଡ଼ିଆ ତଥା ଅନ୍ୟ ରାଜ୍ୟବାସୀଙ୍କୁ ଏକ ସୂତାରେ ବାନ୍ଧି ରଖିଛି ଏହି ରଥଯାତ୍ରା । ଚଳିତ ବର୍ଷ ରୀତିନୀତି ମୁତାବକ ସକାଳ ୭ଟାରେ ମଙ୍ଗଳ ଆଳତି ସହ ମୁଖ୍ୟ ପୂଜା ଆରମ୍ଭ ହୋଇଥିଲା । ଦୁବାଇ, ଆବୁଧାବି ସହ ଅନ୍ୟାନ୍ୟ ଅଞ୍ଚଳରୁ ପାଖାପାଖି ୧ ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଦୁବାଇ ସ୍ଥିତ ଷ୍ଟାର ଇଣ୍ଟରନ୍ୟାସନାଲ ସ୍କୁଲ ଅଞ୍ଚଳ ପୂରା ଘଣ୍ଟ ଘଣ୍ଟା ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ପହଣ୍ଡି ବିଜେ ଓ ଛେରା ପହଁରା ପରେ ଭକ୍ତମାନେ ଉତ୍ସାହର ସହକାରେ ରଥ ଟାଣିଥିଲେ । ରଥଯାତ୍ରା ଅବସରରେ ଓଡିଆ ଭକ୍ତମାନେ ମାହାପ୍ରଭୁଙ୍କ ନିକଟରେ ୫୬ ଭୋଗ ଲାଗୁ କରିଥିଲେ । ୧୫ ବର୍ଷ ପୂର୍ତ୍ତି ଅବସରରେ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ରଥଯାତ୍ରା ଦ୍ୱାରା ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକତ୍ରୀତ କରାଯାଇପାରୁଛି ବୋଲି କହିଛନ୍ତି ଓଡ଼ିଆ ସମାଜ ୟୁଏଇର ସଭାପତି ଅମୀୟ ମିଶ୍ର । ଓଡିଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଏହାକୁ ବଡ଼ ଧରଣର ଆୟୋଜନ କରାଯିବ ବୋଲି ଅମୀୟ ମିଶ୍ର କହିଛନ୍ତି । ଚଳିତ ବର୍ଷ ଦୁବାଇ ରଥଯାତ୍ରାରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଅନେକ ଭକ୍ତ ଯୋଗ ଦେଇଥିଲେ ।