କନକ ବ୍ୟୁରୋ: କିଛି ଦିନ ତଳେ ଇସ୍କନରେ ଅଦିନିଆ ରଥଯାତ୍ରାରୁ ନିବୃତ ରହିବାକୁ ଚେତାବନୀ ଦେଇଥିଲେ ଗତପତି ମହାରାଜା ଦିବ୍ୟସିଂହ ଦେବ । ଚେତାବନୀର ତିନି ଦିନ ପରେ ପୁଣି ମନମାନି କରିଛି ଇସ୍କନ । ଆମେରିକାର ହ୍ୟୁଷ୍ଟନରେ ଗଡ଼ିଛି ରଥ । ଇସ୍କନ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ଅଫ୍ ବ୍ଲିସ ନାଁରେ ଏହି ରଥଯାତ୍ରା କରାଯାଇଛି । ଯାହାକୁ ନେଇ ପୁଣିଥରେ ବିରୋଧାଭାସ ଦେଖିବାକୁ ମିଳିଛି । ଆଇନ୍ ମନ୍ତ୍ରୀ କହିଛନ୍ତି, ଗଜପତି ଯାହା ନିଷ୍ପତ୍ତି ନେବେ, ତାକୁ ସମର୍ଥନ କରିବେ ସରକାର ।
ତାଗିଦ ସତ୍ତ୍ବେ ମାନୁନାହାନ୍ତି ଇସ୍କନ କର୍ତ୍ତୃପକ୍ଷ । ଆମେରିକାର ହ୍ୟୁଷ୍ଟନରେ ଗଡ଼ିଛି ଅଦିନିଆ ରଥ । ଇସ୍କନ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ଅଫ୍ ବ୍ଲିସ କାର୍ଯ୍ୟକ୍ରମରେ ଗଡ଼ିଛି ରଥ । ରଥରେ ଯଦିଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ନଥିଲେ । କିନ୍ତୁ ଅବିକଳ ରଥ ତିଆରି କରି ଏହାକୁ ଟଣାଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚେତବାନୀ ସତ୍ତ୍ୱେ ହ୍ୟୁଷ୍ଟନରେ ରଥ ଟାଣି ଭକ୍ତଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ଇସ୍କନ।
ଏପଟେ ହ୍ୟୁଷ୍ଟନରେ ଅଦିନିଆ ରଥଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ପୂର୍ବରୁ ଏ ସମ୍ପର୍କରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନକୁ ଚେତାବନୀ ଦିଆଯାଇଥିଲା। ଏବେ ପ୍ରଶାସନ ଓ ଗଜପତି ଯାହା ନିଷ୍ପତ୍ତି ନେବେ, ସରକାର ତାକୁ ସମର୍ଥନ ଦେବେ।
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତିଙ୍କ ଚିଠି ଲେଖିବା ଓ ସବୁଆଡୁ ବିରୋଧ ସତ୍ତ୍ବେ ମାନିନଥିଲା ଇସ୍କନ। ପରେ ଅଦିନିଆ ରଥଯାତ୍ରା ବନ୍ଦ ନହେଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଚେତାବନୀ ଦେଇଥିଲେ ଗଜପତି ମହାରାଜା । ଚାରିଆଡ଼ୁ ଚାପ ପରେ ନଇଁଥିଲା ଇସ୍କନ । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ବୋଲି କହିଥିଲା ଇସ୍କନ । ହେଲେ ରଥଟାଣି ପୁଣିଥରେ ଇସ୍କନ ମନମାନି କରିବା ସହ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।