କନକ ବ୍ୟୁରୋ: ଆସିଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ଘଣ୍ଟ, ମୃଦଙ୍ଗ, କାହାଳି ନାଦରେ କମ୍ପିଲା ବଡ଼ଦାଣ୍ଡ । ଆଜ୍ଞାମାଳ ବିଜେ ପରେ ତିନି ରଥକୁ ଟାଣି ଆଣିଲେ ସୁରକ୍ଷା ବାହିନୀ ଓ ପୁଲିସ । ପରମ୍ପରା ଅନୁସାରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ବଜ ରଥ ସିଂହଦ୍ବାର ଆଗରେ ଲାଗିଛି । ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଅପେକ୍ଷା । ନୀଳକନ୍ଦର ଛାଡ଼ି ବାହୁଡ଼ି ଆସିବେ ନୀଳମଣି । ଭକ୍ତଙ୍କୁ ଦେବେ ଦର୍ଶନ। ଚକା ଆଖି ସହ ଆଖି ମିଶାଇବାକୁ ବ୍ୟାକୁଳ ଶ୍ରଦ୍ଧାଳୁ ।
ରାତି ପାହିଲେ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ଶ୍ରୀଜିଉ। ସଭିଏଁ ହେବେ ଏକାକାର । ଭକ୍ତଙ୍କ ଭିଡ଼ରେ ଉଛୁଳିବ ବଡ଼ଦାଣ୍ଡ । ତେଣୁ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । ସେହିପରି ଠାକୁରଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳା ଆଳତି । ସାଢ଼େ ୬ଟାରେ ତଡ଼ପଲାଗି । ସକାଳ ୭ଟାରେ ଅବକାଶ । ୭ଟା ୩୦ ସୁଦ୍ଧା ବେଶ ଶେଷ। ୯ଟାରେ ରଥ ପ୍ରତିଷ୍ଠା । ସାଢ଼େ ୯ରେ ପହଣ୍ଡି ଆରମ୍ଭ, ସାଢ଼େ ୧୨ରେ ଶେଷ । ଦିନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା । ରଥ ଉପରେ ଶ୍ରୀଜୀଉଙ୍କ ଦିବ୍ୟ ଦର୍ଶନ ପାଇଁ ବଡଦାଣ୍ଡ ହେଲାଣି ଲୋକାରଣ୍ୟ। ଜମିଲାଣି ଜଗତ ଯାକର ଭକ୍ତଙ୍କ ଭିଡ ।
ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ସକାଳ ସାଢ଼େ ୯ଟାରେ ପହଣ୍ଡି
ଅପେକ୍ଷାର ହେବ ଅନ୍ତ । ବଡ଼ ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ବାହୁଡ଼ି ଆସିବେ କାଳିଆ ସାଆନ୍ତ ।
/kanak/media/media_files/2025/06/26/ratha-yatra-2025-06-26-20-06-20.jpg)