କନକ ବ୍ୟୁରୋ: ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି । ଗୋଟିଏ ପଟେ ପୁରୀ ସହରରେ ଯୁଦ୍ଧ ଯାନ ରକ୍ଷକ ପଇଁତରା ମାରିବ । ଅନ୍ୟପଟେ ଏଆଇ ନଜରରେ ରହିବ ଭୁବନେଶ୍ବର ଉତ୍ତରା ଛକରୁ ପୁରୀ । ସେପଟେ ଏଥର ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ରଥ ଉପରେ ଅଣସେବାୟତ ଚଢ଼ିଲେ, ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ । 

Advertisment


ରଥଯାତ୍ରା ପାଇଁ ସୁରକ୍ଷା ଚିନ୍ତା । କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଘନଘନ ବୈଠକ । ଓଡ଼ିଶାର ବଛାବଛା ଆଇପିଏସ ଅଫିସରଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ରହିଛି ପୁରୀ । ଭିଡ଼ ଭିତରେ ‘ରକ୍ଷକ’ ଦେଖାଇବ କମାଲ । ଯୁଦ୍ଧ ଯାନ ‘ରକ୍ଷକ’ ପୁରୀ ସହର ସାରା ପଇଁତରା ମାରିବ । ଅତ୍ୟାଧୁନିକ ଏହି ବୁଲେଟ୍ ପ୍ରୁଫ୍ ଯୁଦ୍ଧାସ୍ତ୍ର ଯେକୌଣସି ଅପ୍ରୀତିକର ଘଟଣାକୁ ପ୍ରତିହତ କରିପାରିବ । ବଛାବଛା ତାଲିମପ୍ରାପ୍ତ କମାଣ୍ଡୋ, ଏହି ଯୁଦ୍ଧଯାନରେ ବସି ଅସାମାଜିକଙ୍କ ଗତିବିଧି ଉପରେ ନଜର ରଖିବେ । ପ୍ରଥମଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନଜରରେ ରହିବ ପୁରୀ ସହର । ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏବଂ ପୁରୀରୁ କୋଣାର୍କ ଯାଏଁ ସମସ୍ତ ଗତିବିଧି ଉପରେ ନଜର ରଖିବ AI କ୍ୟାମେରା । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍‌ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ବେଳେ ଭିଡ଼ ଥିଲେ, କେମିତି ପୁରୀକୁ ଯିବେ ଏବଂ କେଉଁ ରାସ୍ତା ଦେଇ ଯିବେ, ସେସବୁ ଏହି ଆପ୍‌ରେ ପାଇ ପାରିବେ । 
 
ରଥଯାତ୍ରା ବେଳେ ପୁରୀକୁ ପୁଲିସ ଛାଉଣି କରାଯିବ । ସାଦା ପୋଷାକରେ ପୁଲିସ ପଇଁତରା ମାରିବ । ଉଚ୍ଚ ଅଟ୍ଟାଳିକାରେ ଜଗିବେ ସ୍ନାଇପର । ଏହାସହିତ ପ୍ରତିଟି ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ସିଷ୍ଟମ । ଏନେଇ ସେଣ୍ଟ୍ରାଲ ଫୋର୍ସ ସହିତ ଓଡ଼ିଶା ପୁଲିସର ଆଲୋଚନା ବି ସରିଛି । ଏନଏସ୍‌ଜିର ମକଡ୍ରିଲ ବି ସରିଛି । ରାପିଡ୍ ଆକ୍ସନ୍ ଫୋର୍ସ, ସିଆଇଏସଏଫ୍, ରକ୍ଷକ ଗାର୍ଡ୍ ଓ ବ୍ୟାପକ ପୁଲିସ ଫୋର୍ସ ବି ମୁତୟନ ହେବେ । ସେପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ଅଣସେବାୟତ ରଥ ଉପରେ ଚଢିଲେ, ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
 
ପ୍ରତିବର୍ଷ ରଥଯାତ୍ରାରେ ବିଶୃଙ୍ଖଳା ଘଟଣା ପାଇଁ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼େ । ଗତବର୍ଷ ରଥ ଉପରୁ ପ୍ରଭୁ ବଳଭଦ୍ର ଖସି ପଡ଼ିବା, ଏବଂ ରଥରେ ଅଣ ସେବାୟତ ଚଢ଼ିବା ଘଟଣାକୁ ନେଇ ବିବାଦ ହୋଇଥିଲା । ତେଣୁ ଚଳିତଥର ସୁରୁଖୁରୁରେ ରଥଯାତ୍ରାକୁ ସାରିବା ସରକାର ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।