କନକ ବ୍ୟୁରୋ : ଏଥର ରଥଯାତ୍ରାରେ ପ୍ରବଳ ଭିଡ଼ ହେବ । ୪୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇପାରେ । ତେଣୁ ପ୍ରଶାସନକୁ ଘାରିଛି ଦଳାଚକଟା ଡର । କୁମ୍ଭମେଳା ଓ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ସାମ୍ନାରେ ଦଳାଚକଟା ହେବା ପରେ ରାଜ୍ୟ ସରକାର ଏବେ ଚିନ୍ତାରେ । ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଦଳାଚକଟା ସ୍ଥିତି ସୃଷ୍ଟି ହେଲେ କେମିତି ସୁରକ୍ଷିତ ଉଦ୍ଧାର ହେବ, ସେନେଇ ଆଜି ପୁରୀରେ ହୋଇଛି ମକଡ୍ରିଲ୍ । ରଥଯାତ୍ରା ସହ ଜଡ଼ିତ ସମସ୍ତ ବିଭାଗ ଓ ଏଜେନ୍ସିକୁ ନେଇ ସମନ୍ୱିତ ମକଡ୍ରିଲ୍ ସରିଛି । ବିଭିନ୍ନ ବିଭାଗର ଏସ୍ଓପି ପାଳନ ନେଇ ସମନ୍ବୟ ପରୀକ୍ଷା ହୋଇଛି । ଆଡଭାନ୍ସ ଲାଇଫ୍ ସପୋର୍ଟ, ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଜରୁରିକାଳୀନ ସ୍ଥିତିରେ କେମିତି ଉଦ୍ଧାର କରାଯିବ କରି ଦେଖାଇଛନ୍ତି । ସ୍କାଉଟ୍ ଓ ଗାଇଡ୍, ସେଣ୍ଟ ଜନ୍ ଆମ୍ବୁଲାନ୍ସ, ରେଡକ୍ରସ୍, ଆପଦ ମିତ୍ର ଓ ସିଭିଲ୍ ଡିଫେନ୍ସ ମଧ୍ୟ ରେସ୍କ୍ୟୁ ଅପରେସନର ସହଯୋଗୀ ଭାବରେ କରିଛନ୍ତି ଅଭ୍ୟାସ ।
ସେପଟେ ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ସମୟ ପୂର୍ବରୁ ରଥ ଉପରକୁ ଉଠିଛି ଚାରି ନାହାକା । ପୂର୍ବରୁ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଓ ପଛ ନିରାଡ଼ି ସହ ସଂଯୁକ୍ତ ହୋଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି । ସେପଟେ ରୂପକାର ସେବାୟତ ତିନିରଥର ନାଟ ଗୋଡ଼ରେ ରହୁରୂପ ଖୋଦେଇ ଚଳାଇଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବାୟତ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଓ ଗୟଳ ପାଇଁ ନିର୍ମାଣ କରିଛନ୍ତି ତାଗ କଣ୍ଟା । ଏଆଇ କ୍ୟାମେରା, ଶହ ଶହ ପ୍ଲାଟୁନ୍ ଫୋର୍ସ ଏଥର ରଥଯାତ୍ରା ସୁରକ୍ଷାରେ ରହିବେ । ଅଧିକ ପାରା ମିଲିଟାରି ଫୋର୍ସ ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଲେଣି । ଅପରେସନ ସିନ୍ଦୂର ପରେ ବଡ଼ ଧାର୍ମିକ ସମାବେଶ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା ନଜର ଦିଆଯାଇଛି ।