କନକ ବ୍ୟୁରୋ: ପଞ୍ଚଭୂତରେ ବିଲିନ ହେଲେ ଭାରତ ଅମୂଲ୍ୟ ରତ୍ନ । ୱର୍ଲି ଶ୍ମଶାନରେ ରାଜକୀୟ ସମ୍ମାନରେ ଦିଆଗଲା ଅନ୍ତିମ ବିଦାୟ । ମୁମ୍ବାଇର ଏନସିପିଏଠାରେ ଶେଷ ଦର୍ଶନ ପରେ ଶୋଭାଯାତ୍ରାରେ ୱର୍ଲି ଶ୍ମଶାନରେ ପହଞ୍ଚିଥିଲା ରତନ ଟାଟାଙ୍କ ମରଶରୀର । ଦେଶର ମହାନାୟକଙ୍କ ସମ୍ମାନରେ ମର ଶରୀର ଉପରେ ତ୍ରିରଙ୍ଗା ରଖି ଶ୍ମଶାନ ଯାଏ ନିଆଯାଇଥିଲା । ଟାଟାଙ୍କ ବିୟୋଗ ପରେ ତାଙ୍କୁ ଝୁରୁଛି ଦେଶ । ରାଷ୍ଟ୍ରପତିଙ୍କଠାରୁ ନେଇ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ଶିଳ୍ପଜଗତର ବିନ୍ଧାଣୀଙ୍କ ଅନ୍ତେଷ୍ଟିରେ ଉପସ୍ଥିତ ରହି ଅନ୍ତିମ ବିଦାୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ମହାରାଷ୍ଟ୍ର ଓ ଗୁଜରାଟର ମୁଖ୍ୟମନ୍ତ୍ରୀ, ଶିଳ୍ପପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଗୁଜରାଟ ସରକାର ଦିନିକିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି ।

Advertisment

ଭାରତୀୟ ଶିଳ୍ପଜଗତର ରତ୍ନ ଭାବେ ପରିଚିତ ରତନ ଟାଟା । ବିଭିନ୍ନ ସମୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ଭାରତ ସରକାର । ଏବେ ଭାରତ ରତ୍ନ ପ୍ରଦାନ ପାଇଁ ବଢ଼ିଛି ଦାବି । ମହାରାଷ୍ଟ୍ର କ୍ୟାବିନେଟରେ ଏନେଇ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟପଟେ ନିଜ ପଛରେ ୩୮ଶହ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି ରତନ ଟାଟା । କିଏ ହେବ ରତନ ଟାଟାଙ୍କ ଉତ୍ତରାଧିକାରୀ ? ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସବୁଠୁ ଆଗରେ ଅଛନ୍ତି ସାବତ ଭାଇ ନୋଏଲ ଟାଟା । ଦୁଇ ଝିଅ ଓ ପୁଅଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।

କଠିନ ସମୟରେ ସବୁବେଳେ ଦେଶବାସୀଙ୍କ ସହ ଛିଡା ହୋଇଛନ୍ତି ରତନ ଟାଟା । କରୋନା ସମୟରେ ଲୋକଙ୍କ ସେବା ପାଇଁ ୧୫ଶହ କୋଟି ଟଙ୍କା ଦାନ କରିଥିଲେ । ପ୍ରତିବର୍ଷ ଦେଶବାସୀଙ୍କ ସେବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରିଥାଏ ଟାଟା ଟ୍ରଷ୍ଟ । ନିଜ ରୋଜଗାର ଏକ ବଡ଼ ଅଂଶ ଦାନ ଦେଉଥିଲେ ରତନ ଟାଟା । ଯେଉଁଥିପାଇଁ ଆଜି ତାଙ୍କୁ ଝୁରୁଛି ସାରା ଦେଶ ।