ରୋଷେଇ ଘରୁ ଆକାଶ ଯାଏଁ ସବୁଠି ରାଜ୍; ରତନଙ୍କୁ ଝୁରୁଛି ସାରା ଦେଶ

ରୋଷେଇ ଘରୁ ଆକାଶ ଯାଏଁ ସବୁଠି ରାଜ୍; ରତନଙ୍କୁ ଝୁରୁଛି ସାରା ଦେଶ । ଝୁରୁଛନ୍ତି ଦେଶବାସୀ

Ratan Tata 1

କନକ ବ୍ୟୁରୋ: ଆପଣଙ୍କ ରୋଷେଇ ଘରେ ଅନ୍ତତଃ ଟାଟା ଚା’ କି ଟାଟା ଲୁଣ ତ ନିଶ୍ଚୟ ଥିବ । ଆଉ ରାଜରାସ୍ତାରେ ଟାଟା କମ୍ପାନୀ କାର ଠାରୁ ଆରମ୍ଭ କରି ବଡ ବଡ ଟ୍ରକ୍ ବି ଦେଖିଥିବେ । ଖାଲି ସେତିକି ନୁହେଁ ଆକାରେ ବି ଟାଟାଙ୍କ ରାଜ୍ । ପ୍ରଥମେ ଟାଟା ଏୟାରଲାଇନ୍ସଠାରୁ ଆରମ୍ଭକରି ଏୟାର ଏସୀୟା, ଏୟାର ଇଣ୍ଡିଆ ସବୁକିଛି ଥିଲା ଟାଟା ଗ୍ରୁପର । ସେଥିପାଇଁ ତ କୁହାଯାଏ ରୋଷେଇ ଗରୁ ଆକାଶ ଯାଏଁ ସବୁଠି ଟାଟାଙ୍କ ରାଜ୍ ।

 କେବଳ ଦେଶ ନୁହେଁ ସାରା ବିଶ୍ୱରେ ଅଗ୍ରଣୀ ଶିଳ୍ପପତିଙ୍କ ନାଁ କହିଲେ ରତନ ଟାଟାଙ୍କ ନାଁ ଆସିବା ଧାର୍ଯ୍ୟ । ତାଙ୍କ ଭଳି ଉପଲବ୍ଧି ବୋଧହୁଏ ଖୁବ୍ ବ୍ୟକ୍ତିତ୍ୱ ହାସଲ କରିଥିବେ । ପ୍ରାକୃତିକ ବିପର୍ଯ୍ୟୟ ସୁନାମୀ ହେଉ କି ମହାମାରୀ କରୋନା ସବୁଠି ଦେଶ ପାଇଁ , ଲୋକଙ୍କ ପାଇଁ ଆଗକୁ ବାହାରିଥିଲେ ଏହି ନମସ୍ୟ  ବ୍ୟକ୍ତି ।  କେବଳ ମାନବ ସମାଜ ପାଇଁ ନୁହେଁ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ତାଙ୍କ ମନରେ ଥିଲା ଅନାହତ ସ୍ନେହ ଓ ଦୟା । ଯାହା ଆୟ କରୁଥିଲେ ସେଥିରୁ ବଡ ପରିମାଣର ଅର୍ଥ ସମାଜସେବା ପାଇଁ ଦାନ କରୁଥିଲେ । ଏଭଳି ଜଣେ ବ୍ୟକ୍ତିତ୍ୱ ଦେଶ ପାଇଁ ଅପୂରଣୀୟ କ୍ଷତି ।
 
 ତାଙ୍କୁ ଶହେ, ହଜାରେ ନୁହେଁ ସାରା ଦେଶବାସୀ ଭଲପାଉଥିଲେ । ମୃତ୍ୟୁ ପୂର୍ବରୁ ଯେବେ ସେ ହସ୍ପିଟାଲରେ ହେଲ୍ଥ ଚେକଅପ୍ ପାଇଁ ଭର୍ତ୍ତି ହୋଇଥିଲେ ତାଙ୍କ ଅସୁସ୍ଥତାର ଖବର ବିଜୁଳି ବେଗରେ ଖେଳିଯାଇଥିଲା । ସାରା ଦେଶବାସୀ ଦୁଃଖ ପ୍ରକାଶ କରିଥିଲେ ।, ଏହା ତାଙ୍କ ମହାନତାର ବଡ ପ୍ରମାଣ । 

୧୯୩୭ ଡିସେମ୍ବର ୨୮ରେ ଜନ୍ମଲାଭ କରିଥିବା ରତନ ଟାଟା , ଟାଟା ଗ୍ରୁପକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ୱ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ । ଭାରତୀୟ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ଭୂମିକା ଅଦ୍ୱିତୀୟ । ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ୱ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନୀ ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍‌’କୁ ଏବଂ ‘କୋରସ୍‌’କୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍‌ ସ୍ୱପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍‌ ‘ନାନୋ’ ଆଣିଥିଲେ। ଯାହା ସାଧାରଣ ବର୍ଗ ଲୋକଙ୍କ ସ୍ୱପ୍ନକୁ ପୂରଣ କରିପାରିଥିଲା । 

ଯେଉଁ ସମୟରେ ପାଶ୍ଚାତ୍ୟ ଅଟୋମୋବାଇଲ୍‌ ବ୍ରାଣ୍ଡ୍‌ଗୁଡ଼ିକର ଭାରତରେ ଆଧିପତ୍ୟ ରହିଥିଲା ସେହି ସମୟରେ ‘ଇଣ୍ଡିକା’ କାର୍‌ ଆଣି ସେ ସେମାନଙ୍କ ଗଡ଼ରେ ପ୍ରବେଶ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ମିଳିଥିଲା । 

୧୯୯୧ରୁ ସେ ଟାଟା ଗ୍ରୁପ୍‌ର ମଙ୍ଗ ସମ୍ଭାଳିବା ଆରମ୍ଭ କରିଥିଲେ। ସେବେଠୁ ୨୦୧୨ ମଧ୍ୟରେ ଟାଟାର ଗ୍ରୁପକୁ୍ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ରତନ । ଶିଳ୍ପ ଜଗତ ବ୍ୟତୀତ ତାଙ୍କର ମାନବୀୟ ଗୁଣ ଆଜି ସମସ୍ତଙ୍କ ମନରେ ତାଙ୍କ ପାଇଁ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ଆଜି ତାଙ୍କ ବିୟୋଗରେ ସାରା ଦେଶ ତାଙ୍କୁ ଝୁରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe