କନକବ୍ୟୁରୋ : ଶ୍ରୀନଗରର ଡାଲ୍ ହ୍ରସରେ ଚାଲିଥିବା ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବରେ ଓଡ଼ିଶାର ରଶ୍ମିତା ସାହୁ କାନୋଇଂ ୨୦୦ ମିଟର୍ ଏକକ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି । ୫୩.୫୩ ସେକେଣ୍ଡ ସମୟ ନେଇ ରଶ୍ମିତା କେରଳ ଓ ମଧ୍ୟପ୍ରଦେଶର ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ କବ୍ଜା କରିଛନ୍ତି । ସ୍ବଳ୍ପ ବୟସରୁ ନିଜ ପିତା, ମାତାଙ୍କ ଦୁର୍ଘଟଣା, ମାଆଙ୍କ ପରଲୋକ, ବାପାଙ୍କ ଅସହାୟତା ଓ ଦାରିଦ୍ର୍ୟର ତାଡ଼ନା ଦେଖିବା ସତ୍ତ୍ବେ ସବୁ ଝଡ଼ଝଞ୍ଜାକୁ ପଛରେ ପକାଇ ରଶ୍ମିତା ପାଇଥିବା ସଫଳତା ପ୍ରତ୍ୟେକ କ୍ରୀଡ଼ାପ୍ରେମୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କୁ ବି ରୋମାଞ୍ଚିତ କରିଛି । ମହାନଦୀର ବହି ଯାଉଥିବା ପାଣିରୁ ଆରମ୍ଭ କରି ଡାଲ୍ର ଶୀତଳ ଜଳ ପର୍ଯ୍ୟନ୍ତ ୨୩ ବର୍ଷୀୟା ରଶ୍ମିତାଙ୍କ ସଫଳତାର ଯାତ୍ରା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ ।
୨୦୦୨ ମସିହାରେ କଟକ ଚୌଦ୍ବାରର ଏକ ମତ୍ସ୍ୟଜୀବୀ ପରିବାରରେ ରଶ୍ମିତାଙ୍କ ଜନ୍ମ। ପିଲାବେଳେ ଦୁଇଦୁଇଟି ଶକ୍ତ ପାରିବାରିକ ଧକ୍କା ତାଙ୍କ ଜୀବନରେ ବିପର୍ଯ୍ୟୟ ଆଣିଥିଲା। ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲାବେଳେ ୨୦୧୧ରେ ତାଙ୍କ ବାପା ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଫଳରେ ୫ ସଦସ୍ୟ ବିଶିଷ୍ଟ ସେମାନଙ୍କ ପରିବାରର ପେଟପାଟଣା ସଂକଟରେ ପଡ଼ିଥିଲା। ଏହାର ୪ ବର୍ଷ ପରେ ୨୦୧୫ରେ ରଶ୍ମିତାଙ୍କ ମାଆ ବି ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରିଥିଲେ। ଏହା ରଶ୍ମିତାଙ୍କ ସମେତ ପୂରା ପରିବାରକୁ ଭାଙ୍ଗି ପକାଇଥିଲା। କଟକ ଜଗତପୁରରେ ସାଇ ପରିଚାଳିତ ଜାତୀୟ ଉତ୍କର୍ଷ ଜଳକ୍ରୀଡ଼ା କେନ୍ଦ୍ରରେ ନାମ ଲେଖାଇଲେ ଖେଳରେ ତାଲିମ ଦିଆଯିବା ସହ ତାଙ୍କୁ ସରକାରଙ୍କ ତରଫରୁ ଭତ୍ତା ମିଳିବ ବୋଲି ରଶ୍ମିତାଙ୍କୁ ତାଙ୍କର ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ। ଏହା ଶୁଣିବା ପରେ ଆଉ ଦ୍ବିତୀୟ ଥର ଚିନ୍ତା ନକରି ରଶ୍ମିତା ତୁରନ୍ତ କାନୋଇଂରେ ନାମଲେଖା ପାଇଁ ଚୟନ ପରୀକ୍ଷା ଦେଇଥିଲେ ଓ ଉତ୍ତୀର୍ଣ୍ଣ ହୋଇଥିଲେ ବୋଲି କହନ୍ତି ରଶ୍ମିତା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଉତ୍ତରାଖଣ୍ଡରେ ଅନୁଷ୍ଠିତ ଗତ ଜାତୀୟ କ୍ରୀଡ଼ାରେ, ସେ କାନୋଇଂ ଯୁଗଳ ମହିଳାରେ ରୌପ୍ୟ ଓ କାନୋଇଂ ଏକକ ମହିଳା ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ, ସେ ଭୋପାଳରେ କାନୋଇଂ ଏକକ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏକ ଜାତୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ, ରଶ୍ମିତା ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ଯୋଗ୍ୟ ହୋଇଥିଲେ। ୨୦୨୪ ମସିହାରୁ ସେ ଜଣେ ପୁଲିସ ଅଧିକାରୀ ଭାବେ କାର୍ଯ୍ୟରତ ଏବଂ ନିଜ ୪ ସଦସ୍ୟ ବିଶିଷ୍ଟ ପରିବାରର ଯତ୍ନନେବାକୁ ବେଶ୍ ସକ୍ଷମ। ନିଜ ପିଲାବେଳର ସଂଘର୍ଷମୟ ଜୀବନକୁ ମନେ ପକାଇ ରଶ୍ମିତା କହନ୍ତି, ଆମେ ଏକ କୁଡ଼ିଆଘରେ ରହୁଥିଲୁ। ଜଣେ ମତ୍ସ୍ୟଜୀବୀଭାବେ ମୋ ବାପାଙ୍କ ରୋଜଗାର ଅତି ସୀମିତ ଥିଲା। କିନ୍ତୁ ଜଳକ୍ରୀଡ଼ାରେ ମୋ କ୍ୟାରିୟର୍ ଆମ ପରିବାରର ସ୍ଥିତିକୁ ବଦଳାଇ ଦେଇଛି ।
ଏବେ ଆମେ ଭଲଭାବରେ ରହୁଛୁ ଓ ମୁଁ ମୋ ପରିବାର ପାଇଁ ଏକ ଘର ତିଆରି କରୁଛି। ନିଜ ସଫଳତାର ମୁଖ୍ୟ ଶ୍ରେୟ ରଶ୍ମିତା ନିଜ ଜଳକ୍ରୀଡ଼ା ପ୍ରଶିକ୍ଷକ ଲାଇଶ୍ରାମ ଜୋହାନ୍ସନ ସିଂହଙ୍କୁ ଦିଅନ୍ତି। ସେ କହନ୍ତି, ଯେତେବେଳେ ମୁଁ ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବା ଆରମ୍ଭ କଲି, ମୋ ପାଖରେ ଯାତ୍ରା ଓ ଉତ୍ତମ ଖାଦ୍ୟ ପାଇଁ ସମ୍ବଳ ନଥିଲା। ସାର୍ (ପ୍ରଶିକ୍ଷକ) ମୋତେ ଟଙ୍କା ଦେଉଥିଲେ, ଯାହା ଦ୍ୱାରା ମୁଁ ଯାତ୍ରା କରିପାରିବି, ଭଲ ଖାଦ୍ୟ ଖାଇପାରିବି ଓ ଉକ୍ତ ପ୍ରତିଯୋଗିତା ଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରିବି। ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିବା ସହ ରଶ୍ମିତା ଏଥି ପାଇଁ ପ୍ରସ୍ତୁତିବେଳେ ସେ କୁମ୍ଭୀରରେ ଭର୍ତ୍ତି ଜଳାଶୟ ଓ ହୀରାକୁଦ ଡ୍ୟାମ୍ ତଳର ପ୍ରଖର ସ୍ରୋତରେ ମହାନଦୀରେ ଅଭ୍ୟାସ କରିଥିବା କହିଛନ୍ତି। ରଶ୍ମିତା ଏବେ ଆସନ୍ତାବର୍ଷ ସେପ୍ଟେମ୍ବର-ଅକ୍ଟୋବର୍ରେ ଜାପାନରେ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି କରୁଛନ୍ତି। ବର୍ତ୍ତମାନ କାଶ୍ମୀରର ପରିବେଶ ଓ ଖାଦ୍ୟକୁ ସେ ବେଶ୍ ଉପଭୋଗ କରୁଥିବା ରଶ୍ମିତା ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା, ଓଡ଼ିଶାକୁ ୪ ପଦକ
କଟକ: ଜମୁ କାଶ୍ମୀରର ଶ୍ରୀନଗରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଜଳକ୍ରୀଡା ଉତ୍ସବରେ ଓଡ଼ିଶାର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ପଦକ ତାଲିକାରେ ମଧ୍ୟ ଓଡ଼ିଶା ଦ୍ବିତୀୟକୁ ଉନ୍ନୀତ ହୋଇଛି। ଓଡ଼ିଶା କାୟାକିଂ ଓ କାନୋଇଂ ଦଳ ଶୁକ୍ରବାର ସୁଦ୍ଧା ଗୋଟିଏ ସ୍ୱର୍ଣ୍ଣ ଓ ୩ ରୌପ୍ୟ ପଦକ ଜିତିଛନ୍ତି। ଶୁକ୍ରବାର ଦ୍ବିତୀୟ ଦିବସରେ ପୁରୁଷ କାୟାକିଂ ୫୦୦ ମିଟର ପ୍ରତିଯୋଗିତାରେ ନାଓରାମ ଜମେଶ ସିଂହ ଓ ସନ୍ତୋଷଙ୍କ ଯୋଡି ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ବିଭାଗର କାୟାକିଂର ୫୦୦ ମିଟରରେ ଓନିମା ବିଦ୍ୟା ଦେବୀ ଓ ସ୍ମୁତି ଚାଗୁଲିଙ୍କ ଯୋଡ଼ି ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି। ଗୁରୁବାର ପ୍ରଥମ ଦିନରେ ପୁରୁଷ ବିଭାଗର କାୟାକିଙ୍ଗ-୧ର ୧୦୦୦ ମିଟରରେ ନରୀମ ଯମେଶ ସିଂହ ରୌପ୍ୟ ଓ ମହିଳା ବିଭାଗ-୧ର ୨୦୦ ମିଟରରେ ରଶ୍ମିତା ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ଖେଳାଳିଙ୍କୁ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/24/rasmita-2025-08-24-08-24-40.jpg)