କନକ ବ୍ୟୁରୋ : ଆଲୋକର ପର୍ବ ଦୀପାବଳିକୁ ଭାରତର ବିଭିନ୍ନ ପ୍ରାନ୍ତରେ ନିଆରା ଢଙ୍ଗରେ ପାଳନ କରାଯାଏ । ସାରା ଦେଶ ଦୀପ ଏବଂ ରଙ୍ଗୀନ ଆଲୋକରେ ଚକମକ କରେ । କିନ୍ତୁ ଚଳିତବର୍ଷ ଦୀପାବଳିର ତାରିଖକୁ ନେଇ ଲୋକଙ୍କ ମନରେ ବହୁତ ଦ୍ୱନ୍ଦ୍ୱ ରହିଛି। କ୍ୟାଲେଣ୍ଡର ଅନୁସାରେ, ଏଥର ଅମାବାସ୍ୟା ତିଥି ଦୁଇ ଦିନ ପାଇଁ ରହିବ । ଯେଉଁଥିପାଇଁ ଭାରତୀୟ ଦ୍ୱନ୍ଦ୍ୱରେ ମଧ୍ୟ ରହିଛନ୍ତି । ୨୦ ଅକ୍ଟୋବର ନା ୨୧ ଅକ୍ଟୋବର କେଉଁ ଦିନ ପାଳନ କରିବେ ଦୀପାବଳି ଏନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଲୋକ । ତା’ହେଲେ ଆସନ୍ତୁ ଜାଣିବା ଏଥର ଦୀପାବଳି କେଉଁ ଦିନ ପାଳନ କରିବେ ଏବଂ ଲକ୍ଷ୍ମୀ ପୂଜାର ଶୁଭ ସମୟ କ’ଣ ରହିବ ।
ପଞ୍ଚାଙ୍ଗ ଅନୁସାରେ, ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୦ ତାରିଖ ଅପରାହ୍ନ ୩ ଟା ବାଜି ୪୪ ମିନିଟରେ ଆରମ୍ଭ ହେବ ଏବଂ ତିଥି ଅକ୍ଟୋବର ୨୧ ତାରିଖ ସନ୍ଧ୍ୟା ୫ ଟା ୫୫ରେ ଶେଷ ହେବ । ଜ୍ୟୋତିଷଙ୍କ ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖରେ ଦୀପାବଳି ପାଳନ କରିବା ଉପଯୁକ୍ତ ହେବ କାରଣ ଅମାବାସ୍ୟା ଦିନ ପ୍ରଦୋଷ ବ୍ୟାପିନି ତିଥି ଏବଂ ନିଶିଥ କାଳ ସହିତ ମେଳ ଖାଉଛି । ପ୍ରଦୋଷ କାଳ, ମହାନିଶିଥ କାଳ ଏବଂ ସ୍ଥିର ଲଗ୍ନ ସମୟରେ ଦୀପାବଳି ସନ୍ଧ୍ୟାରେ ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ । ଯଦିଓ ଉଦୟତିଥି ଅନୁସାରେ ଦୀପାବଳି ୨୧ ଅକ୍ଟୋବରରେ ପାଳନ କରାଯିବା ଉଚିତ, ଦୀପାବଳି ସମୟରେ ପ୍ରଦୋଷ କାଳ ଏବଂ ନିଶିଥ କାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍ଷ୍ମୀ ପୂଜା ପାଇଁ ଅକ୍ଟୋବର ୨୦ ତାରିଖ ସବୁଠାରୁ ଉପଯୁକ୍ତ । ଅକ୍ଟୋବର ୨୧ ରେ ବ୍ୟବସାୟ ଏବଂ କାର୍ଯ୍ୟାଳୟରେ ଦୀପାବଳି ପୂଜା କରାଯାଇପାରିବ । କିନ୍ତୁ ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଯାହା ମହାନିଶୀତ ସମୟରେ ହୁଏ କେବଳ ଅକ୍ଟୋବର ୨୦ ତାରିଖରେ ହିଁ କରାଯିବ । ଶାସ୍ତ୍ର ଅନୁସାରେ ମହାନିଷ୍ଠ କାଳ ହେଉଛି ମଧ୍ୟରାତ୍ରି ଯାହା ଦେବୀ ଲକ୍ଷ୍ମୀ ଏବଂ କାଳୀଙ୍କ ପୂଜା ପାଇଁ ସବୁଠାରୁ ଶୁଭ ସମୟ । ଏହି ସମୟରେ ମହାନିଷ୍ଠ କାଳର ଶୁଭ ସମୟ ୨୦ ତାରିଖ ରାତି ୧୧ ଟା ୩୬ ରୁ ଆରମ୍ଭ ହେବ ଏବଂ ୨୧ ତାରିଖ ରାତି ୧୨ ଟା ୨୭ ପର୍ଯ୍ୟନ୍ତ ରହିବ ।
ଅକ୍ଟୋବର ୨୦ ତାରିଖରେ ଦୀପାବଳି ପୂଜା ପାଇଁ ଦୁଇଟି ଶୁଭ ସମୟ ରହିବ । ପ୍ରଥମ ଶୁଭ ସମୟ ହେଉଛି ପ୍ରଦୋଷ ସମୟ। ଏହି ଦିନ ପ୍ରଦୋଷ ସମୟ ସନ୍ଧ୍ୟା ୫ ଟା ୪୬ ରୁ ରାତି ୮.୧୮ ପର୍ଯ୍ୟନ୍ତ ରହିବ, ବୃଷଭ ସମୟ ସନ୍ଧ୍ୟା ୭ଟା ୮ ରୁ ରାତି ୯ ଟା ୩ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଇପାରିବ । କିନ୍ତୁ ଯଦି ଆପଣ ଲକ୍ଷ୍ମୀ ପୂଜା ପାଇଁ ସବୁଠାରୁ ଶୁଭ ସମୟ କ’ଣ ହେବ ପ୍ରଶ୍ନ ପଚାରନ୍ତି ତେବେ ଏହାର ଉତ୍ତର ସନ୍ଧ୍ୟା ୭ ଟା ୮ ରୁ ରାତି ୮ଟା ୧୮ ମଧ୍ୟରେ ହେବ । ଏହାର ଅର୍ଥ ହେଉଛି ଆପଣଙ୍କ ପାଖରେ ଲକ୍ଷ୍ମୀ ପୂଜା ପାଇଁ ୧ ଘଣ୍ଟା ୧୧ ମିନିଟ୍ ସମୟ ରହିବ ।
ପୂଜା ପୂର୍ବରୁ ଘରକୁ ଭଲ ଭାବରେ ସଫା କରି ଝୋଟି କିମ୍ବା ରଙ୍ଗୋଲି ପକାଇ ଦୀପ ଏବଂ ଫୁଲ ସହ ସଜାଇ ଦିଅନ୍ତୁ । ତା'ପରେ, ଲାଲ କିମ୍ବା ହଳଦିଆ କପଡ଼ାରେ ଆଚ୍ଛାଦିତ ଏକ କାଠ ମଞ୍ଚ ଉପରେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ । ତା'ପରେ, ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏବଂ "ଗଣପତୟେ ନମଃ" ମନ୍ତ୍ର ଜପ କରନ୍ତୁ । ତା'ପରେ ପଞ୍ଚାମୃତରେ ଦେବୀ ଲକ୍ଷ୍ମୀଙ୍କୁ ସ୍ନାନ କରାନ୍ତୁ, ଦେବୀଙ୍କୁ ଚାଉଳ, ଧୂପ ଏବଂ ଫୁଲ ଅର୍ପଣ କରନ୍ତୁ ଏବଂ ଅତି କମରେ ୧୦୮ ଥର ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ । ଶେଷରେ କର୍ପୂର ଏବଂ ଘିଅ ଦୀପ ଦେଇ ଆରତୀ କରନ୍ତୁ ।