କନକବ୍ୟୁରୋ : ବିରଳ କୃଷ୍ଣସାର ହରିଣ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କ ଆବେଦନ ଉପରେ ଗତ ସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।  ବିଚାରପତି ମନୋଜ କୁମାର ଗର୍ଗଙ୍କ ଏକକ ଖଣ୍ଡପୀଠ ଏହି ମାମଲା ସହିତ ଜଡିତ ସମସ୍ତ ବିଚାରାଧୀନ ଆବେଦନଗୁଡ଼ିକୁ ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । 
ଶୁଣାଣି ସମୟରେ,  ହାଇକୋର୍ଟ ସମ୍ପୃକ୍ତ ସିଜେଏମ କୋର୍ଟକୁ ଆବେଦନର କ୍ରମିକ ସଂଖ୍ୟା ପ୍ରସ୍ତୁତ କରିବାକୁ କହିଛନ୍ତି ।  କାରଣ ଭିନ୍ନଭିନ୍ନ ଆବେଦନର ଭିନ୍ନଭିନ୍ନ ସମୟରେ ସୂଚୀବଦ୍ଧ ରହିଛି। ଯାହାକି ପୂର୍ବ ଶୁଣାଣି ସମୟରେ ସମସ୍ୟା ଦେଖା ଦେଇଥିଲା  ।  

Advertisment

ଏଣିକି କୋର୍ଟ ସମସ୍ତ ଆବେଦନର ଏକ ସମୟରେ ଶୁଣାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି  । ମାମଲାର ଆଗାମୀ ଶୁଣାଣିରେ ସେହି ଆବେଦନଗୁଡ଼ିକୁ ମଧ୍ୟ ବିଚାର କରାଯିବ ଯେଉଁଥିରେ ଅଭିନେତା ସୈଫ ଅଲ୍ଲୀ ଖାନ, ନୀଲମ, ତବୁ, ସୋନାଲି ବେନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ବିରୋଧରେ ଦାୟର କରାଯାଇଛି    । 
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ରେ ଅନୁଷ୍ଠିତ ହେବ  ।  ଏହିଦିନ ସମସ୍ତ ପକ୍ଷଙ୍କ ଆବେଦନଗୁଡ଼ିକୁ ଏକତ୍ରିତ ଭାବରେ ଉପସ୍ଥାପନ କରାଯାଇ ମାମଲାର ବିସ୍ତୃତଭାବେ ଆଲୋଚନା କରାଯିବ   । 

୧୯୯୮ ମସିହାରେ ଘଟିଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ବେଳେ ଅନ୍ୟ ସହ-ଅଭିନେତାମାନଙ୍କୁ ତଳ କୋର୍ଟ ଦୋଷମୁକ୍ତ କରିଥିଲେ ।  ସଲମାନ ଖାନ ଏବଂ ରାଜ୍ୟ ସରକାର ଉଭୟ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି  ।   ଏହି ଆବେଦନର ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ । ଏହି ଶୁଣାଣି ଦୀର୍ଘକାଳୀନ ମାମଲାର ଏକ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇପାରେ ବୋଲି ଆଶା ରଖାଯାଇଛି  ।    କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଆବେଦନର ମିଳିତ ଶୁଣାଣି ଦ୍ୱାରା ରାୟର ଦିଗ ନିର୍ଣ୍ଣୟ ହେବାର ସମ୍ଭାବନା ବୃଦ୍ଧି ପାଇଛି ।