କନକ ବ୍ୟୁରୋ: ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ପଦ୍ମବେଶରେ ସଜ୍ଜିତ ହେବେ ଶ୍ରୀଜୀଉ । ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ପଦ୍ମ ଫୁଲରେ ବିଭୁଷିତ ହେବେ ଚତୁର୍ଦ୍ଦାମୂର୍ତ୍ତୀ । ବଡଛତା ମଠ ତରଫରୁ ଏହି ବେଶ ପ୍ରସ୍ତୁତି କରାଯାଇଥାଏ। ମହାପ୍ରଭୁଙ୍କର ପଦ୍ମ ବେଶ ପାଇଁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।--

Advertisment

ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ଏଥର କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ମାଆ ସୁଭଦ୍ରା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ । କାରିଗରମାନେ ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ବେଶ ସାମଗ୍ରୀରେ ଏକ ମାସ ଧରି ଶୁଦ୍ଧପୁତ ଭାବେ ପଦ୍ମବେଶ ପ୍ରସ୍ତୁତିରେ ଲାଗିଛନ୍ତି । ମାସକର ଅକ୍କାନ୍ତ ପରିଶ୍ରମ ପରେ ଏବେ ଏହି ବେଶକୁ ଶେଷ ସ୍ପର୍ଶ ଦିଆଯାଉଛି । ଏ ଭିତରେ ଶ୍ରୀଜିଉଙ୍କ ଶ୍ରୀମୁଖ ପଦ୍ମ, ଡାଳି, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମ କଢ଼, ହଂସ, କରପଲ୍ଲବ ମାଳ, ପଦ୍ମଫୁଲ, ଚୁଳ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ବେଶ ପ୍ରସ୍ତୁତି କାମ ଶେଷ ହେଲେ ବଡ଼ଛତା ମଠ ପକ୍ଷରୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ । ଚଳିତବର୍ଷ ୬ଜଣ କାରିଗର ଏହି ବେଶ ପ୍ରସ୍ତୁତିରେ ଲାଗିଛନ୍ତି । ବେଶ ପ୍ରସ୍ତୁତିରେ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ବ୍ୟବହାର ହୋଇଥାଏ । 
 
ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୁଏ। ମାଘ ମାସରେ ବୁଧବାର ନୀଳ ଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି। ସେହିଦିନ ରାତ୍ର ପହୁଡ଼ ପରେ ଭକ୍ତମାନେ ପରଦିନ ମଙ୍ଗଳ ଆଳତୀ ପରେ ଏହି ପଦ୍ମବେଶ ଦର୍ଶନ କରିଥାନ୍ତି। ଅବକାଶ ପରେ ପଦ୍ମବେଶ ଓଲାଗି କରି ଦିଆଯାଏ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ହୋଇଥାଏ । ସପ୍ତଦଶ ଶତାଦ୍ଦୀରେ ବଡ଼ଛତା ମଠ ମହନ୍ତ ପଦ୍ମବେଶ ପରମ୍ପରା ଆରମ୍ଭ କରିଥିବା କୁହାଯାଉଛି ।