Success farmer Photograph: (KanakNews)
କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଘାରପାଲିର ରମେଶ ପ୍ରଧାନ । ସେ ଠିକାଦାରରୁ ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ନିଜେ ରୋଜଗାର କରିବା ସାଙ୍ଗକୁ ଆଉ ୪ଜଣଙ୍କୁ ରୋଜଗାର ଦେବାରେ ସକ୍ଷମ ହେଇପାରିଛନ୍ତି । କୌଣସି ରାସାୟନିକ ବ୍ୟବହାର ନ କରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ହିତକାରୀ ଜୈବିକ ପଦ୍ଧତିରେ ପନିପରିବା ଚାଷ କରୁଛନ୍ତି । ରମେଶ ପୂର୍ବରୁ ଜଣେ ଠିକାଦାର ଥିଲେ ହେଲେ ଆଜି ସେ ଜଣେ ସଫଳ ଚାଷୀ ।
କିନ୍ତୁ ନିଜ ପରିଶ୍ରମ ଓ ସଂଘର୍ଷ ଦ୍ୱାରା ସେ ଗାଁ ଯୁବକଙ୍କ ପାଇଁ ପ୍ରେରଣାର ପାଲଟିଛନ୍ତି । ମାତ୍ର ୨ ଏକର ଜମିରେ ଜୈବିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି ରମେଶ। ବଗିଚାରେ ମିଶ୍ରିତ ପନିପରିବା । ଯୁଆଡ଼େ ଦେଖିଲେ ସବୁଜ ରଙ୍ଗର ପରିବା । ଧାଡ଼ି ଧାଡ଼ି ହୋଇ ଲାଗିଛି ଅମୃତଭଣ୍ଡା । ତା ସାଙ୍ଗକୁ ଜୈବିକ ପ୍ରଣାଳୀରେ କଦଳୀ ଚାଷ ହୋଇଛି l ଖାଲି ସେତିକି ନୁହେଁ, ବଗିଚାରେ ଫୁଲ କୋବି, ପତ୍ର କୋବି, ବାଇଗଣ, କାକୁଡ଼ି, ଜହ୍ନି, ମକା, ସାରୁ, ଲଙ୍କା, ଗାଜର ଭଳି ପନିପରିବା ମଧ୍ୟ ଲାଗିଛି । ସମସ୍ତ ପନିପରିବା ଜୈବିକ ପ୍ରକ୍ରିୟାରେ ଚାଷ ହେଉଥିବାରୁ ଏହାର ଚାହିଦା ବଜାରରେ ଢେର ଅଧିକ ରହିଛି ।
ଜୈବିକ ଚାଷ କରିବା ପାଇଁ ରମେଶ ଗୋବର ଖତ ବ୍ୟବହାର କରନ୍ତି । ପରିବେଶ ଓ ମାଟିକୁ ସୁସ୍ଥ ରଖିବା ପାଇଁ ସେ କୀଟନାଶକ ଭିତରେ ହଳଦୀ, ନିମ୍ବ ଓ ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତି । ଫଳରେ ତାଙ୍କର ଜମି ଉର୍ବର ହେଉଛି । ଯେଉଁଥିରୁ ସୁସ୍ଥ ଓ ପୌଷ୍ଟିକ ପରିବା ମିଳୁଛି । ଏହି ଚାଷରୁ ତାଙ୍କର ବାର୍ଷିକ ୭ ରୁ ୮ ଲକ୍ଷ ଟଙ୍କା ରୋଜଗାର ହେଉଛି । ବଜାରରେ ପରିବା ଦର ଆକାଶ ଛୁଆଁ ରହୁଛି । କହିବାକୁ ଗଲେ, ସବୁଜ ପରିବାରେ ହାତ ମାରି ହେଉନାହିଁ । ତେଣୁ ପରିବା ଚାଷ କଲେ କ୍ଷତି ନାହିଁ ଖାଲି ଲାଭ ହିଁ ଲାଭ । ସଠିକ୍ ପ୍ରଣାଳୀରେ ଚାଷ କଲେ ଚାଷୀ ନିଶ୍ଚୟ ଉପକୃତ ହୋଇପାରିବ । ଜୈବିକ ଚାଷ କଲେ ଲୋକ ନୀରୋଗ ରହିବା ସହ ପରିବେଶ ମଧ୍ୟ ସୁସ୍ଥ ରହିବ ।
Follow Us