କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଦେଶର ରାଜଧାନୀରେ ରାଜନୀତି ସରଗରମ ହୋଇଛି । ଚଳିତ ନିର୍ବାଚନରେ ନିର୍ଦ୍ଧିଷ୍ଟ କିଛି ନେତାଙ୍କ ନାମକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିସୀଙ୍କ ସମେତ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ରମେଶ ବିଧୂଡି ବେଶ ଚର୍ଚ୍ଚାରେ ରହିଛନ୍ତି । ରାଜନୀତିକୁ ନେଇ ଆତିସୀ ଓ କେଜ୍ରିୱାଲ ଚର୍ଚ୍ଚାରେ ଥିବା ବେଳେ ବିରୋଧୀଙ୍କ ଗାଳିଗୁଲଜ କରି ଚର୍ଚ୍ଚାରେ ଅଛନ୍ତି ବିଜେପି ପ୍ରାର୍ଥୀ ରମେଶ ବିଧୂଡି । ଦିଲ୍ଲୀର କାଲକାଜୀ ଆସନରୁ ଚଳିତ ଥର ରମେଶ ବିଧୂଡି ମୁଖ୍ୟମନ୍ତ୍ରୀ ଆତିସୀ ସିଂଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ପ୍ରଚାର କ୍ରମରେ ଶାସକ ବିରୋଧୀ ମଧ୍ୟରେ ବୟାନବାଜୀ ଚିରାଚରିତ । ହେଲେ ଭରା ସଭାରେ ବିଧୂଡି ଯେଭଳି ଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନେତାଙ୍କୁ ଗାଳିଗୁଲଜ କରୁଛନ୍ତି ତାହା ଏକ ଗଣତନ୍ତ୍ର ରାଷ୍ଟ୍ରର ଲୋକପ୍ରତିନିଧୀ ପାଇଁ ବେଶ୍ ଲଜ୍ଜାଜନକ  । ଏହା ସହ ଏବେ ବିଧୂଡି ନିର୍ବାଚନ କମିଶନଙ୍କ ପାଖରେ ନିଜ ସମ୍ପତ୍ତି ନେଇ ଯେଉଁ ତାଲିକା ଦେଇଛନ୍ତି ତାହା ଆତିସୀଙ୍କ ତୁଳନାରେ ଏତେ ଅଧିକ ତାହା କଳ୍ପନା କରାଯାଇପାରିବ ନାହିଁ । କାରଣ ଆତିସୀ  ତାଙ୍କ ସତ୍ୟପାଠରେ ନିଜର ସମ୍ପତ୍ତି ମୂଲ୍ୟ ଲକ୍ଷରେ ଦେଇଥିବା ବେଳେ ବିଧୂଡିଙ୍କ ସମ୍ପତ୍ତି ହିସାବ କୋଟିରେ । ଆତିସୀଙ୍କ ମୋଟ ସମ୍ପତ୍ତି ୭୬.୯୩ ଲକ୍ଷ ରହିଥିବା ବେଳେ ବିଧୂଡିଙ୍କ ସମ୍ପତ୍ତି ୧୫ କୋଟି ଉପରେ । ଏହା ମଧ୍ୟରେ ବିଧୂଡିଙ୍କ ତାଲିକା ମୁ୍ତାବକ ତାଙ୍କ ପାଖରେ ଚଳ ସମ୍ପତ୍ତିର ମୂଲ୍ୟ ୨ କୋଟି ୫୭ ଲକ୍ଷ ଟଙ୍କା ଓ ଅଚଳ ସମ୍ପତ୍ତିର ମୂଲ୍ୟ ୧୨ କୋଟି ୬୬ ଲକ୍ଷ ଟଙ୍କା । ଏହାସହ ତାଙ୍କ ନାମରେ ୧୭ ଲକ୍ଷ ୬୦ ହଜାର ଟଙ୍କାର ଋଣ ରହିଛି ।