କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ନିକଟରେ ଚୟନିତ ହୋଇଥିବା କନଷ୍ଟେବଳମାନଙ୍କର ଟ୍ରେନିଂ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଯାଇଛି , ଯାହା ଆଗାମୀ ୯ ମାସ ପର୍ଯ୍ୟନ୍ତ ଚାଲିବ । ମଧ୍ୟପ୍ରଦେଶର ମୋଟ ୮ଟି ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ୪ ହଜାରରୁ ଅଧିକ କନଷ୍ଟେବଳଙ୍କୁ ଏହି ଟ୍ରେନିଂ ଦିଆଯାଉଛି । ଏହାରି ମଧ୍ୟରେ, ବରିଷ୍ଠ ଆଇପିଏସ୍ ତଥା ଏଡିଜି ରାଜାବାବୁ ସିଂହ କନଷ୍ଟେବଳମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ପ୍ରତିଦିନ ଶୋଇବା ପୂର୍ବରୁ ରାମଚରିତମାନସ ପାଠ କରନ୍ତୁ ।
ଏଡିଜି ରାଜାବାବୁ ସିଂହ ଏହି ପରାମର୍ଶ ଏକ ଭିଡିଓ କନଫରେନ୍ସିଂ ମାଧାମରେରେ ଦେଇଛନ୍ତି । ଯେଉଁଥିରେ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରର ଏସ୍ପି ଏବଂ କିଛି ନବନିଯୁକ୍ତ କନଷ୍ଟେବଳ ଯୋଡ଼ି ହୋଇଥିଲେ । ସେ କହିଛନ୍ତି ଯେ ସମସ୍ତ ଯବାନ ଭଗବାନ ରାମଙ୍କ ଜୀବନରୁ ଶିକ୍ଷା ଲାଭ କରିବା ଉଚିତ୍ ଏବଂ ସେଥିପାଇଁ ପ୍ରତିଦିନ ରାମଚରିତମାନସ ପାଠ କରନ୍ତୁ ।
ଟ୍ରେନିଂରେ ଏପରି ପରାମର୍ଶ ଦେବାର କାରଣ ମଧ୍ୟ ଏଡିଜି ଜଣାଇଛନ୍ତି । ସେ କହିଛନ୍ତି , ନିକଟରେ କନଷ୍ଟେବଳମାନେ ଭର୍ତ୍ତି ହୋଇଛି, ଯେଉଁମାନଙ୍କର ଟ୍ରେନିଂ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ କିଛି ଦିନ ମଧ୍ୟରେ ମୋ ପାଖକୁ ବହୁ ସଂଖ୍ୟାରେ ଟ୍ରେନିଂ ସେଣ୍ଟର ବଦଳାଇବା ପାଇଁ ଆବେଦନ ଆସିବା ଆରମ୍ଭ ହୋଇଯାଇଛି । ଯଦି କେହି ଛିନ୍ଦୱାଡ଼ାର ବାସିନ୍ଦା, ତେବେ ତାଙ୍କୁ ପଚମଢ଼ି ଟ୍ରେନିଂ ସେଣ୍ଟର ଦରକାର ଏବଂ ଯଦି କେହି ରତଲାମ-ଝାବୁଆର, ତେବେ ସେ ଉଜ୍ଜୟିନୀ ଟ୍ରେନିଂ ସେଣ୍ଟର ମାଗୁଛନ୍ତି । ସେମାନଙ୍କୁ ଏବେ ୯ ମାସ ଟ୍ରେନିଂ କରିବାକୁ ପଡ଼ିବ ଏବଂ ଏହାପରେ ନିଜ ଜିଲ୍ଲା ବାହାରେ ମଧ୍ୟ ନିଯୁକ୍ତି ମିଳିବ । କିନ୍ତୁ ସେମାନେ ଏବେଠାରୁ ହିଁ ହୋମ୍ ସିକ୍ନେସ୍ର ଶିକାର ହେଉଛନ୍ତି । ସେଥିପାଇଁ ସେମାନଙ୍କୁ ଭଗବାନ ରାମଙ୍କଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛି ।
କାରଣ ଭଗବାନ ରାମ ୧୪ ବର୍ଷ ବନବାସରେ ରହିଥିଲେ, ସେହି ସମୟରେ ସେ ଜଙ୍ଗଲରେ ବଞ୍ଚିବାର କଳା ଶିଖିଥିଲେ, ପ୍ରକୃତି ପ୍ରେମ ଶିଖିଥିଲେ, ନିଷାଦ ଏବଂ ଶବରୀଙ୍କ ସହ ସାମାଜିକ ସମରସତାର ପାଠ ପଢ଼ିଥିଲେ । ଏକ ଅଜଣା ଓ ନୂଆ ପରିବେଶରେ ନିଜକୁ ଖାପ ଖୁଆଇଥିଲେ ଏବଂ ସୀମିତ ସମ୍ବଳରେ ଯୁଦ୍ଧ ରଣନୀତି ପ୍ରସ୍ତୁତ କରି ରାବଣକୁ ବଧ ମଧ୍ୟ କରିଥିଲେ । ସେଥିପାଇଁ ମୁଁ କହିଲି ଯେ, ଆଜିର ଯୁଗରେ ମଧ୍ୟ ଯବାନମାନଙ୍କୁ ନୂଆ ଆଇନ ଏବଂ ନୂଆ ପ୍ରକାରର ଅପରାଧର ମୁକାବିଲା କରିବାକୁ ପଡ଼ିବ, ତେଣୁ ସେମାନଙ୍କୁ ସବୁ ବିଦ୍ୟାରେ ପାରଙ୍ଗମ ହେବାକୁ ହେବ ଏବଂ ଏଥିପାଇଁ ରାମଚରିତମାନସ ପାଠ କରିବା ଉଚିତ୍ ।"