କନକ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ନୋଟିସ୍ ପରେ ହାଜର ହୋଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ତାଙ୍କୁ ପ୍ରାୟ ଦେଢଘଣ୍ଟା ପଚରାଉଚୁରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦୀଘା ମନ୍ଦିରକୁ ନେଇ ମୁଖ୍ୟ ପ୍ରଶାସକ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ରାମକୃଷ୍ଣ । ମିଳିଥିବା ସୂଚନା ଅନୁସାରେ, ଆଜି ଜେରାବେଳେ 
- କେବେଠାରୁ ଆପଣଙ୍କୁ ଦାରୁଘର ଚାବି ହସ୍ତାନ୍ତର ହୋଇଛି?
- କେତେଖଣ୍ଡ ଦାରୁ ଗଚ୍ଛିତ ଥିଲା ତା’ର ହିସାବ ଆପଣଙ୍କ ପାଖରେ ଅଛି କି? 
- ଦାରୁଘରୁ ଆପଣ ଦାରୁ ଦେଇଛନ୍ତି କି?
- ଯଦି ଦେଇନାହାନ୍ତି, ଗଣମାଧ୍ୟରେ ପ୍ରତିକ୍ରିୟା ରଖିଲେ କେମିତି?  

Advertisment

ଏଭଳି ଅନେକ ପ୍ରଶ୍ନବାଣର ସମ୍ମୁଖୀନ ହୋଇଛନ୍ତି ରାମକୃଷ୍ଣ । ତେବେ ଜେରାପରେ ରାମକୃଷ୍ଣ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଦଇତାପତି ନିଯୋଗ ଭଳି ଆହୁରି ଅନେକ ନିଯୋଗ ସେମାନଙ୍କ ମତ ରଖିଛନ୍ତି । ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା ଦାୟର ହୋଇଛି । ଦୀଘା 'ଦାରୁ' ବିବାଦକୁ ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛି ଜଗନ୍ନାଥ ସେନା । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
 
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମମତା ବାନାର୍ଜୀଙ୍କୁ ସେଠାକାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କଡା ସମାଲୋନଚା କରିଛନ୍ତି। ଓଡ଼ିଶାର ଆପତ୍ତିକୁ ସେ ସମର୍ଥନ କରିଛନ୍ତି । ଜଗନ୍ନାଥଙ୍କ ଦାରୁ ଓ ଜଗନ୍ନାଥ ଧାମ ଲେଖାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶୁଭେନ୍ଦୁ। ଏପଟେ ବିବାଦକୁ ସରକାରଙ୍କୁ କାଠଗଡାରେ ଛିଡା କରାଇଛି ବିଜେଡି, ଯାହାର ଜବାବ ରଖିଛନ୍ତି ଆଇନମନ୍ତ୍ରୀ । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ଜଗନ୍ନାଥ ଧାମ ନାମକରଣ ବିବାଦକୁ ବଳିଯାଇଛି ପୁରୀରୁ ଦାରୁଯିବା ଘଟଣା । ଏହି ଘଟଣା ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି ।