କନକ ବ୍ୟୁରୋ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ପରିସରରେ ଭବ୍ୟ ରାମ ଦରବାର ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏହି ଦିବ୍ୟ ଦର୍ଶନର ପ୍ରଥମ ଝଲକ ସମସ୍ତଙ୍କ ମନ ମୋହିଛି । ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ଶ୍ରୀରାମ ଓ ଅନ୍ୟ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦ୍ବିତୀୟ ଥର ଲାଗି ଅଯୋଧ୍ୟାର ରାମ ମନ୍ଦିରରେ ଏଭଳି ଭବ୍ୟ  ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାମ ଦରବାରରେ ପ୍ରଭୁ ଶ୍ରୀରାମ, ମାତ ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ହନୁମାନ ବିରାଜମାନ ଅଛନ୍ତି । ପ୍ରଭୁଙ୍କ ରାମଙ୍କ ପରିଧାନ ପାରମ୍ପରିକ, ସମୃଦ୍ଧ ଓ ପ୍ରତୀକାତ୍ମକ ହୋଇଛି । କାଶୀର ପ୍ରସିଦ୍ଧ ରେଶମ ସିଲ୍କି ପିନ୍ଧିଛନ୍ତି ପ୍ରଭୁ ଶ୍ରୀରାମ । ମସ୍ତକ ସ୍ୱର୍ଣ୍ଣ ମୁକୁଟରେ ଅଳଙ୍କୃତ ହୋଇଛି । ରାମଙ୍କ ଡାହାଣ ହାତରେ କମଳ ପୁଷ୍ପ ଅଛି, ଯାହା ବିନମ୍ର, ଉଦାର ମନୋଭାବକୁ ଦର୍ଶାଉଛି । ବାମ ହାତରେ ଅଛି ଧନୁତୀର । ଏହାର ଧର୍ମରକ୍ଷା ପାଇଁ ପ୍ରଭୁ ଶ୍ରୀରାମଙ୍କ ତତ୍ପରତାକୁ ଦର୍ଶାଉଛି ।  ପ୍ରଭୁ ଶ୍ରୀରାମ ସିଂହାସନରେ ପଦ୍ମାସନ ଆସନରେ ବିରାଜମାନ ଅଛନ୍ତି  । ତାଙ୍କ ଚରଣ ତଳେ ଦୁଇଟି ସିଂହ ଅଛନ୍ତି, ଯାହା ସାହସ ଓ ସ୍ଥାୟୀତ୍ବକୁ ଦର୍ଶାଉଛି ।  ଶ୍ରୀରାମଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଶାନ୍ତ, କରୁଣାମୟ ଓ ତେଜସ୍ବୀ ଦେଖାଯାଉଛି । ସେହିଭଳି ଶ୍ରୀରାମଙ୍କ ପାଖରେ ବିରାଜମାନ ମାତା ସୀତା ଭାରତୀୟ ନାରୀର ଆଦର୍ଶ, ପତିବ୍ରତା ଧର୍ମ ଓ ତ୍ୟାଗକୁ ଦର୍ଶାଉଛି । ଗୋଲାପୀ ରଙ୍ଗର କାଶୀ ସିଲ୍କ ଶାଢ଼ି ପିନ୍ଧିଛନ୍ତି ମାତା ସୀତା । ସେହିଭଳି ଭରତ, ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମୂର୍ତ୍ତି  ଓ ସାଜସଜ୍ଜା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।