କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଇଞ୍ଜିନିୟରଂ ଛାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। ଗଣେଶ ମୂର୍ତି ଭସାଣୀ ବେଳେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା କଲେଜ କର୍ତୃପକ୍ଷ ଯୁକ୍ତି ବାଢ଼ୁଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ରାକେଶଙ୍କ ବାପା। ତେବେ ଶବ ବ୍ୟବଚ୍ଛେଦ ସରିଥିବା ପରେ ଏବେ ରିପୋର୍ଟକୁ ପରିବାର ଲୋକ ଅପେକ୍ଷା କରିଛନ୍ତି।
ଭୁବନେଶ୍ୱର ଚନ୍ଦକାସ୍ଥିତ ଏମଆଇଟିଏମ କଲେଜରେ ଇଞ୍ଜିନିୟରିଂ କରୁଥିବା ରାକେଶ ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢିଲା ସସ୍ପେନ୍ସ। କେମିତି ହୋଇଛି ରାକେଶଙ୍କ ମୃତ୍ୟୁ ? ଦୁର୍ଘଟଣା ନା ହତ୍ୟା କରାଯାଇଛି ? ବାପାଙ୍କ ବୟାନ, ତାଙ୍କ ପୁଅକୁ କରାଯାଇଛି ହତ୍ୟା। ଚନ୍ଦକା ଥାନାରେ ଏନେଇ ଲିଖତ ଅଭିଯୋଗ ମଧ୍ୟ କରିଛନ୍ତି। ବାପା ରମେଶଙ୍କ କହିବା ଅନୁସାରେ,
ରାକେଶ ହଷ୍ଟେଲ ସାଙ୍ଗସାଥୀଙ୍କ ସହ ଗଣେଶ ଭସାଣି ବେଳେ ପାଣିରେ ବୁଡି ଆହତ ହୋଇଥିଲେ। ଏକଥା ରାକେଶଙ୍କ ମୋବାଇଲରୁ କେହି ଜଣେ କଲ କରି କହିଥିଲେ । କିନ୍ତୁ ଖବର ପାଇ ପରିବାର ଲୋକେ ଡାକ୍ତରଖାନା ପହଞ୍ଚିବା ବେଳକୁ ରାକେଶଙ୍କର ମୃତ୍ୟୁ ହୋଇସାରିଥିଲା। ଯାହା ହତ୍ୟା ଆଡକୁ ଇଙ୍ଗିତ କରୁଥିବା ଅଭିଯୋଗ କରିଛନ୍ତି ବାପା ଓ ସମ୍ପର୍କୀୟ।
କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଶେଷ ବର୍ଷ ଛାତ୍ର ଥିଲେ ରାକେଶ। ୯ ତାରିଖରେ ମୃତ୍ୟୁ ହେବାର ଦୁଇ ଦିନ ପରେ ମୁହଁ ଖୋଲିଛନ୍ତି ପରିବାର। କେବଳ ରାକେଶ ନୁହଁ, ଭସାଣି ବେଳେ କଲେଜର ଆଉ ଜଣେ ଛାତ୍ର ସନ୍ଦୀପଙ୍କର ବି ମୃତ୍ୟୁ ହୋଇଛି। ହେଲେ ତାଙ୍କ ପରିବାର ଶିକ୍ଷାନୁଷ୍ଠାନ ବିରୋଧରେ କିଛି କହିନାହାନ୍ତି। ସେପଟେ ଗଣେଶ ଭସାଣିକୁ ଯିବାକୁ ବାରଣ କରାଯାଇଥିଲା ବୋଲି କହି ଘଟଣାକୁ ଏଡାଇ ଯାଇଛନ୍ତି କଲେଜ କର୍ତ୍ତୃପକ୍ଷ।
ପ୍ରଶ୍ନ ଉଠୁଛି ହଷ୍ଟେଲରୁ ଛାତ୍ରମାନେ ଭସାଣକୁ ଯାଇଥିବାବେଳେ ଏମାନଙ୍କ ସୁରକ୍ଷା ପାଇଁ କେମିତି କେହି ଚିନ୍ତା କରିନଥିଲେ ? ଦୁଇ ଦୁଇଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ କିଏ ରହିବ ଉତ୍ତରଦାୟୀ ?