କନକ ବ୍ୟୁରୋ: କଂଗ୍ରେସ ସାଂସଦ ଅଭିଷେକ ମନୁସିଂଘଭିଙ୍କ ସିଟ୍ ତଳୁ ନୋଟ୍ ବିଡ଼ା ମିଳିବା ଘଟଣାକୁ ନେଇ ରାଜ୍ୟସଭାରେ ଝଡ଼। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ଗୃହରେ ଏହି ଘୋଷଣା କରିଥିଲେ। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସାଂସଦ। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ।
- ରାଜ୍ୟସଭାରେ ନୋଟ୍ ଝଡ଼
- କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଲା ଟଙ୍କା ବିଡ଼ା!
ତେଲେଙ୍ଗାନାରୁ ରାଜ୍ୟସଭାକୁ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂହଭିଙ୍କୁ ଆବଣ୍ଟିତ ସିଟ୍ ତଳୁ ମିଳିଛି ନୋଟ୍ ବିଡ଼ା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଏହି ସୂଚନା ଦେଇଛନ୍ତି। ତେବେ ଗତକାଲି ସୁରକ୍ଷା କର୍ମଚାରୀ ଯାଞ୍ଚ କରିବା ବେଳେ ଅଭିଷେକ ମନୁ ସିଂଘଭିଙ୍କ ୨୨୨ ନମ୍ବର ସିଟ୍ ତଳୁ ୫୦୦ ଟଙ୍କିଆ ନୋଟ୍ ବିଡ଼ା ମିଳିଥିଲା ବୋଲି କହିଛନ୍ତି ଧନକଡ଼। ଏହା ନିୟମିତ ଯାଞ୍ଚ ବୋଲି ଧନକଡ଼ କହିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ।
- କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ଟଙ୍କା ବିଡ଼ା
- ହଙ୍ଗାମା କଲେ ବିଜେପି ସାଂସଦ
ଅଭିଷେକ ମନୁ ସିଂଘଭିଙ୍କ ସିଟ୍ ତଳୁ ଟଙ୍କା ବିଡ଼ା ମିଳିବା ଘଟଣାକୁ ନେଇ ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି। ତେବେ ଧନକଡ଼ଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ଅଧ୍ୟକ୍ଷ କାହା ନାଁ ସାର୍ବଜନୀନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଆଉ ନିଜେ ସିଂଘଭି ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ମନୁ ସିଂହଭିଙ୍କ କହିଛନ୍ତି, ସେ ୫୦୦ ଟଙ୍କିଆ ନୋଟ୍ ଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ଗତକାଲି ଦିନ ୧୨.୫୭ ମିନିଟରେ ସେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ। ଗୃହ କାର୍ଯ୍ୟ ଦିନ ଗୋଟାଏ ସମୟରେ ବନ୍ଦ ରହିଥିଲା। ତା’ପରେ ଯାଇ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଅଯୋଧ୍ୟା ପ୍ରସାଦଙ୍କ ସହ ଖାଇଥିଲେ। ସାଢେ ଗୋଟାଏ ପର୍ଯ୍ୟନ୍ତ ରହି ସଂସଦ ଭବନ ଛାଡ଼ିଥିଲେ । ଅନ୍ୟପଟେ କଂଗ୍ରେସ ସାଂସଦଙ୍କ ପାଖକୁ ଏତେ ଟଙ୍କା କୁଆଡୁ ଆସୁଛି ବୋଲି କହି କଟାକ୍ଷ କରିଛନ୍ତି ବିଜେପି ସାଂସଦ।
ସୂଚନାଯୋଗ୍ୟ ଯେ, ସାଂସଦଙ୍କ ସିଟ୍ ତଳୁ ମୋଟ କେତେ ଟଙ୍କା ମିଳିଛି ଜଣାପଡିନଥିଲେ ମଧ୍ୟ ୫୦୦ ଟଙ୍କିଆ ନୋଟ୍ ବିଡ଼ା ମିଳିବା ଚିନ୍ତାଜନକ ବିଷୟ। ଏବେ ତଦନ୍ତ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା।