କନକ ବ୍ୟୁରୋ: ଖାଲି ହେବାକୁ ଯାଉଛି ୮ ରାଜ୍ୟସଭା ସିଟ୍ । ଜୁନରୁ ଜୁଲାଇ ମାସ ଭିତରେ ସଂସଦର ଉଚ୍ଚ ସଦନରେ ଖାଲି ହେବାକୁ ଯାଉଥିବା ଏହି ୮ଟି ସିଟରେ କେଉଁ ଦଳର ନେତା ବସିବେ? କିଏ ରାଜ୍ୟସଭା ଇଲେକ୍ସନରେ ବାଜିମାତ କରିବ ତାକୁ ନେଇ ଏବେ ସରଗରମ ହୋଇଛି ରାଜନୀତି । ତେବେ ଏହି ୮ଟି ରାଜ୍ୟସଭା ସିଟ୍ ପାଇଁ ଆସନ୍ତା ଜୁନ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଉ ଜୁନ ୯ ତାରିଖ ଭିତରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଆଉ ଏହାପରେ ଜୁନ ୧୯ ତାରିଖରେ ରାଜ୍ୟସଭା ଇଲେକ୍ସନ୍ ନେଇ ଭୋଟିଂ ହେବ । ହେଲେ ତାମିଲନାଡୁ ଏବଂ ଆସାମ ରାଜ୍ୟରୁ ଖାଲି ହେବାକୁ ଯାଉଥିବା ଏହି ୮ଟି ରାଜ୍ୟସଭା ସିଟରେ କେଉଁ ଦଳର ନେତା ବସିବେ, ତାକୁ ନେଇ ଏବେ ବଢ଼ିଛି ଆଲୋଚନା ।
ତାମିଲନାଡୁରେ କିଏ ମାରିବ ବାଜି?
ଖାଲି ହେବାକୁ ଥିବା ଏହି ୮ଟି ରାଜ୍ୟସଭା ସିଟ୍ ଭିତରୁ ୬ଟି ହେଉଛି ତାମିଲନାଡୁର । ଆଉ ଏହି ୬ଟି ସିଟରେ କେଉଁ ଦଳର ନେତା ବସିବେ ତାକୁ ନେଇ ଏବେ ଆରମ୍ଭ ହୋଇଛି ଅଙ୍କକଷା । ସଂଖ୍ୟାବଳକୁ ବିଶ୍ଳେଷଣ କଲେ ଜଣାଯାଉଛି ଯେ, ତାମିଲନାଡୁ ବିଧାନସଭାରେ ଏବେ ମୋଟ ୨୩୪ ବିଧାୟକ ରହିଛନ୍ତି । ଆଉ ଜଣେ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଜିତିବାକୁ ୩୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ଏହି ଦୃଷ୍ଟିରୁ ତାମିଲନାଡୁରେ ସତ୍ତାଧାରୀ ଡିଏମକେ ମେଣ୍ଟର ୪ ଜଣ ପ୍ରାର୍ଥୀ ଜିତିବା ଏକପ୍ରକାର ପକ୍କା ।
ଅନ୍ୟପଟେ ବାକି ୨ ଟି ଆସନରେ ଜିତିବାକୁ ହେଲେ ଏଆଇଏଡିଏମକେକୁ ବିଜେପିର ସାହାଯ୍ୟ ଆବଶ୍ୟକ । ତେଣୁ ଏଭଳି ସ୍ଥିତିରେ ବିଜେପିର ୪ଜଣ ବିଧାୟକ ଯଦି, ଏଆଇଏଡିଏମକେକୁ ସମର୍ଥନ ନ କରନ୍ତି, ତେବେ ଏଆଇଏଡିଏମକେର ୨ ଜଣ ଯାକ ପ୍ରାର୍ଥୀ ଜିତିବା କଷ୍ଟକର ହୋଇଯିବ । ତେଣୁ ଏଭଳି ସମୟରେ ଏଆଇଏଡିଏମକେର ଜଣେ ପ୍ରାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାସ୍ କରି ବିଜେପି ନିଜର ପୂର୍ବତନ ତାମିଲନାଡୁ ରାଜ୍ୟ ସଭାପତି କେ ଅନ୍ନାମଲାଇଙ୍କୁ ରାଜ୍ୟସଭାକୁ ପଠାଇବା ନେଇ, ଏଆଇଏଡିଏମକେ ସହିତ ଡିଲ୍ କରିପାରେ ।
କାହିଁକି ନା, ଯେତେବେଳେ ଅନ୍ନାମଲାଇଙ୍କୁ ବିଜେପି ତାମିଲନାଡୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱରୁ ହଟାଇଲା, ସେତେବେଳେ ଚର୍ଚ୍ଚା ହେଲା ଯେ, ଦିଲ୍ଲୀର ଶୀର୍ଷ ନେତୃତ୍ୱ ତାଙ୍କୁ କିଛି ବଡ଼ ଦାୟିତ୍ୱ ଦେଇପାରେ । ଏହିକ୍ରମରେ ଏବେ ଅନ୍ନାମଲାଇଙ୍କୁ ରାଜ୍ୟସଭା ସିଟ୍ ଗିଫ୍ଟ ଦେଇପାରନ୍ତି ମୋଦୀ-ଶାହା ଯୋଡ଼ି ।
ଆସାମରେ କଡ୍ଡା ଫାଇଟ୍!
ଆପଣମାନେ ଜାଣିଥିବେ ରାଜ୍ୟସଭା ନିର୍ବାଚନରେ ରାଜ୍ୟ ବିଧାନସଭାର ବିଧାୟକମାନେ ଭୋଟ୍ ଦେଇଥାନ୍ତି । ଏହି ଦୃଷ୍ଟିରୁ ଏବେ ଆସାମ ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି ୧୨୬ । ଆଉ ଏଠି ଦୁଇଟି ରାଜ୍ୟସଭା ସିଟ୍ ଖାଲି ହେଉଛି । ତେଣୁ ଆସାମରେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ଜିତିବାକୁ ହେଲେ ୪୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ତେବେ ଆସାମରେ ଏବେ ବିଜେପିର କେବଳ ୬୪ ଜଣ ବିଧାୟକ ଅଛନ୍ତି, ତେଣୁ ଦୁଇଟି ଯାକ ସିଟରେ ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବିଜେପିକୁ ଆସାମ ଗଣ ପରିଷଦର ୯ ଜଣ ଏବଂ ୟୁପିପିଏଲର ୭ ଜଣ ବିଧାୟକଙ୍କୁ ନିଜ ସହ ଯୋଡ଼ିବା ସହିତ ଆହୁରି ୬ ଜଣ ବିଧାୟକଙ୍କ ଭୋଟ୍ ଦରକାର ହେବ । ତେଣୁ ଏପରି ପରିସ୍ଥିତିରେ କ୍ରସ୍ ଭୋଟିଂ ହେଲେ ହିଁ, ବିଜେପିର ଦୁଇ ଜଣ ଯାକ ପ୍ରାର୍ଥୀ ରାଜ୍ୟସଭା ଯିବେ ।
ଅନ୍ୟପଟେ ଆସାମରେ ବିରୋଧୀ କଂଗ୍ରେସ ପାଖରେ ଏବେ ୨୬ ବିଧାୟକ ଅଛନ୍ତି । ତେଣୁ ଯଦି କଂଗ୍ରେସ ସିପିଆଇ, ଏଆଇୟୁଡିଏଫ୍ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ବିଧାୟକଙ୍କୁ ଏକାଠି କରିବାରେ ସକ୍ଷମ ହୁଏ, ତେବେ ବିରୋଧୀଙ୍କ ସଂଖ୍ୟାବଳ ୪୫ରେ ପହଞ୍ଚିଯିବ । ଆଉ ଏଭଳି ସ୍ଥିତିରେ କଂଗ୍ରେସ ନିଜର ଜଣେ ନେତାଙ୍କୁ ରାଜ୍ୟସଭା ପଠାଇପାରିବ ।
ଦୁଇଟି ଯାକ ଭିତରୁ ଗୋଟିଏ ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ, ଅନ୍ୟ ରାଜ୍ୟରେ ବିରୋଧୀ ରହିଛି । ହେଲେ ଏଭଳି ସ୍ଥିତି ଭିତରେ ବି, ତାମିଲନାଡୁରେ ବିଜେପି ଗୋଟିଏ ଆସନକୁ କବଜା କରିବାକୁ ଲକ୍ଷ୍ୟ ରଖିଥିବାବେଳେ, ଆସାମରେ ଦୁଇଟି ଯାକ ସିଟରେ ନିଜ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ଲକ୍ଷ୍ୟ ରଖିଛି । ତେଣୁ ରାଜ୍ୟସଭା ନିର୍ବାଚନରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା?