କନକବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି କଣାସ ରାଜୁଆ ନଦୀ ଉପରେ ଥିବା ବ୍ରିଜ୍ । ବାଉଁଶ ଓ ନଡ଼ିଆ କତା ଭରସାରେ ବ୍ରିଜର ବାଡ଼ ତିଆରି କରାଯାଇଛି । ଏ ଘଟଣାକୁ ୩ ମାସ ପୂରିଗଲେ ବି କୌଣସି ସରକାରୀ ବାବୁଙ୍କ ଏଠି ପାଦ ପଡ଼ିନାହିଁ । ଏପରିକି ବିଧାୟକଙ୍କ ନିର୍ଦ୍ଦେଶକୁ ବି ପୂର୍ତ୍ତ ବିଭାଗ ଖାତିର କରୁନଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କଣାସ ରାଜୁଆ ନଦୀ ଉପରେ ଥିବା ପୋଲଟି ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ବ୍ରିଜର ସୁରକ୍ଷା ବାଡ଼ ଭାଙ୍ଗି ଯାଇଛି । ୩ ମାସ ବିତିଲାଣି, ହେଲେ ଏଯାଏଁ ମରାମତି କରାଯାଇନାହିଁ ।
ସ୍ଥାନୀୟ ସରପଞ୍ଚ ବାଉଁଶ ଓ ନଡ଼ିଆ କତା ବାନ୍ଧି ନିଜ ଦାୟିତ୍ୱ ସାରିଦେଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ମନରେ ଭୟ ସଞ୍ଚାର ହେଉଛି । ବ୍ରିଜ୍ଟି ଭୁଷୁଡ଼ି ପଡ଼ିବା ଭଳି ଆଶଙ୍କା ଉପୁଜିଛି । ପୋଲର ମରାମତି ପାଇଁ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହିଁ । ବିଭାଗୀୟ ବାବୁମାନେ ତ ସବୁଦିନ ଅଫିସ ଆସୁନାହାନ୍ତି । ତେଣୁ କଣାସ ଆରଡିସି ଅଫିସରେ ଅଧାଦିନ ତାଲା ଝୁଲୁଥିବା ଅଭିଯୋଗ ହୋଇଛି । କଣାସ ବ୍ଲକର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ରାଜୁଆ ପୋଲ ଉପରେ ନିର୍ଭର କରିଥାନ୍ତି । ତେଣୁ ବ୍ରିଜଟିର ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି ।