କନକ ବ୍ୟୁରୋ : ଆଗକୁ ବିହାର ବିଧାନସଭା ନିର୍ବାଚନ । ଇଣ୍ଡିଆ ମେଣ୍ଟ, ଏନଡିଏ ମେଣ୍ଟ ସହ ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପୂରା ଦମ୍ ଲଗାଇ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ, ମେଣ୍ଟର ସହଯୋଗୀଦଳମାନେ କିଏ କେତେ ଆସନରେ ଲଢିବ ତାହା ବି ସ୍ଥିର ହୋଇନାହିଁ । ହେଲେ ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳ ପଦାରେ ପଡ଼ି ହାଟରେ ଗଡିଲାଣି । ଆଶା କରାଯାଉନଥିବା କନ୍ଦଳ ଏବେ ବିଜେପି ଓ ଜେଡିୟୁ ନେତାଙ୍କ ଭିତରେ ଦେଖିବାକୁ ମିଳିଛି । ଶାସକ ଦଳର ଦୁଇ ବିଜେପି ନେତାଙ୍କ ବୟାନ ଏବେ ବିଜେପି ଉପରେ ଭାରି ପଡିବ ବୋଲି କୁହାଗଲାଣି । ଦୁଇ ବିଜେପି ନେତା ରାଜକୁମାର ସିଂ ଓ ରାଜୀବ ପ୍ରତାପ ରୁଢି ଖୋଲାଖୋଲି ଭାବେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଆଉ ଏହି କନ୍ଦଳ ପଛରେ ନାରଦ ସାଜିଛନ୍ତି ଜନସ୍ୱରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ।
ପ୍ରଶାନ୍ତ କିଶୋର ବାରମ୍ବାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ୱାଲଙ୍କ ସହ ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କୁ ଟାର୍ଗେଟ ୍ କରିବାରେ ଲାଗିଛନ୍ତି । ଏହାସହ ପ୍ରଶାନ୍ତ କିଶୋର ବି ବିଜେପି ନେତା ମଙ୍ଗଲ ପାଣ୍ଡେଙ୍କୁ କ୍ଷମତାର କାଠଗଡ଼ା ଠିଆ କରିଦେଇଛନ୍ତି । ପ୍ରଶାନ୍ତ କିଶୋର ବିଜେପି ଓ ଜେଡିୟୁ ନେତାଙ୍କୁ ଏଭଳି ଟାର୍ଗେଟ୍ କରୁଥିଲେ ବି ଉଭୟ ଜେଡିୟୁ ଓ ବିଜେପି ଚୁପ ରହିଛି ।
ହେଲେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଲଗାଯାଉଥିବା ଅଭିଯୋଗ ଉପରେ ବିଜେପି ଓ ଜେଡିୟୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଯାହାକୁ ନେଇ ସାମ୍ନାକୁ ଆସିଛନ୍ତି । ବିଜେପି ନେତା ତଥା ପୂର୍ବ ସାଂସଦ ଆରକେ ସିଂ । ସେ କହିଛନ୍ତି ଯେ ଯେଉଁମାନଙ୍କ ଉପରେ ଅଭିଯୋଗ ହେଉଛି ସେମାନେ ସାମ୍ନାକୁ ଆସି ତାର ଉତ୍ତର ଦିଅନ୍ତୁ । ସବୁଠାରୁ ବଡ଼ କଥା ହେଉଛି, ଆରକେ ସିଂ ସିଧାସଳଖ ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ମୋର ଏହି ବୟାନକୁ ବିଜେପି ଯଦି ବିଦ୍ରୋହ ବୋଲି ଭାବି ମୋ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ନିଏ ତେବେ ମୋର କିଛି ଚିନ୍ତା ନାହିଁ କି ମୋତେ କିଛି ଫରକ ପଡ଼ିବନି ।
କେବଳ ଆରକେ ସିଂ ନୁହଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବେ କନଷ୍ଟିଚ୍ୟୁସନାଲ କ୍ଲବର ମୁଖ୍ୟ ବିଜେପି ନେତା ସାଂସଦ ରାଜୀବ ପ୍ରତାପ ରୁଢୀ ମଧ୍ୟ ବିଜେପି ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସେ କିଛିଦିନ ହେବ ବିଜେପିର ସମସ୍ତ କାର୍ୟ୍ୟକ୍ରମରୁ ଦୂରେଇ ରହୁଛନ୍ତି । କନଷ୍ଟିଚ୍ୟୁସନାଲ କ୍ଲବ ନିର୍ବାଚନ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଯେଭଳି ଭାବେ ରୁଢୀଙ୍କୁ ଟାର୍ଗେଟ୍ କଲେ ତା ପରଠାରୁ ବିଜେପିରୁ ସାଇଡଲାଇନ ହୋଇ ରହୁଛନ୍ତି ରୁଢୀ । ଏହାକୁ ନେଇ ରୁଢୀ କହିଥିଲେ କି ଆମ ରାଜପୁତମାନଙ୍କୁ ଦୀର୍ଘ ସମୟ ହେବ ଅନ୍ୟମାନେ ସଫଳତାର ସିଡି ଭାବେ ବ୍ୟବହାର କରୁଛନ୍ତି । ହେଲେ ଏବେ ସମୟ ଆସିଛି ଆମେ ଏକଜୁଟ୍ ହୋଇ ନିଜର ଶକ୍ତି ଦେଖାଇବାର । ରାଜୀବ ପ୍ରତାପ ରୁଢୀ ଓ ଆରକେସିଂଙ୍କ ଏଭଳି ବୟାନ ବିହାର ବିଜେପିର ସବୁକିଛି ଠିକ୍ ଚାଲୁନଥିବା ଅନୁମାନ କରାଯାଉଛି । ଏଭଳି ଚାଲିଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଆଗାମୀ ନିର୍ବାଚନରେ ପଡିବ ।
ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍