Nawaz Photograph: (KanakNews)
କନକ ବ୍ୟୁରୋ : କେବେ ବଲିଉଡରେ କମେଡ଼ି ମାଷ୍ଟର୍ କୁହାଯାଉଥିବା ଅଭିନେତା ରାଜପାଲ୍ ଯାଦବ ଏବେ ବଡ଼ ଅସୁବିଧାରେ ପଡ଼ିଛନ୍ତି । ୨୦୧୦ ରେ ଆସିଥିବା ସିନେମା ‘ଅତା ପତା ଲାପତା’ ସହିତ ଜଡ଼ିତ ଚେକ୍ ବାଉନ୍ସ ମାମଲାରେ ଆତ୍ମସମର୍ପଣ କରିବା ପରେ ବର୍ତ୍ତମାନ ସେ ତିହାର୍ ଜେଲରେ ବନ୍ଦୀ ଅଛନ୍ତି । ଏ କେସ୍ ସିନେମା ପାଇଁ ନିଆଯାଇଥିବା ୫ କୋଟି ଟଙ୍କାର ଋଣ ସହିତ ଜଡ଼ିତ ଅଛି । ସୂଚନା ମିଳିଥିଲା ଯେ କିଛି ଚେକ୍ ବାଉନ୍ସର ସମସ୍ୟା ଦେଖାଦେଇଥିଲା ଏବଂ କେସ୍ ଲମ୍ବା ସମୟ ଧରି କୋର୍ଟରେ ଚାଲିଥିଲା । କୋର୍ଟ ଅଭିନେତାଙ୍କୁ ଅନେକ ସମୟ ଦେବା ପରେ ମଧ୍ୟ ରାଜପାଲ ଟଙ୍କା ଯୋଗାଡ଼ କରିପାରିନଥିଲେ । ଶେଷରେ କୋର୍ଟ ଅଭିନେତାଙ୍କ ଶେଷ ଯାଚିକା ରଦ୍ଦ କରିବା ପରେ ସରେଣ୍ଡର କରିବା ପାଇଁ ଆଦେଶ ଦେଇଥିଲେ ।
ଆଗକୁ ପଢ଼ନ୍ତୁ : ଅଭିନେତା ହେବ ତ ଏମିତି : ଭାବିଲେ ସମାଜର କଥା , ୪୦ କୋଟିକୁ ମାରିଲେ ଗୋଇଠା
ତେବେ ଆତ୍ମସମର୍ପଣ ପୂର୍ବରୁ ରାଜପାଲଙ୍କର ଏକ ଭାବପ୍ରବଣ ବୟାନ ଭାଇରାଲ୍ ହେବାରେ ଲାଗିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ କହିଛନ୍ତି ଯେ ‘‘ସାର୍ ମୁଁ କ’ଣ କରିବି ମୋ ପାଖରେ ଟଙ୍କା ହିଁ ନାହିଁ । ମତେ କୌଣସି ରାସ୍ତା ଦେଖାଯାଉନାହିଁ । ମୁମ୍ବାଇରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ , ମୋର କେହି ସାଙ୍ଗ ନାହାନ୍ତି । ମତେ ଏ ପରିସ୍ଥିତି ସହ ଏକୁଟିଆ ହିଁ ଲଢ଼ିବାକୁ ପଡ଼ିବ ।’’ ରାଜପାଲଙ୍କ ଏହି ବୟାନ ପରେ ସୋସିଆଲ୍ ମିଡିଆରେ ବଲିଉଡ୍ ଇଣ୍ଡଷ୍ଟ୍ରିର ବନ୍ଧୁତା ଏବଂ ପ୍ରତିକୂଳ ପରିସ୍ଥିତିରେ କାହାର ସାଥ୍ ନ ନେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାରି ଭିତରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ।
ଏହି ଭିଡିଓରେ ନୱାଜୁଦ୍ଦିନ୍ ରାଜପାଲଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ସେ କହିଛନ୍ତି ଯେ ପୂରା ବଲିଉଡରେ ଯଦି ଆକାଡେମିକ୍ ଏବଂ ଆକ୍ଟିଙ୍ଗର ଟ୍ରେନିଂ କାହା ପାଖରେ ଅଛି ତାହେଲେ ସେ ହେଉଛନ୍ତି ରାଜପାଲ୍ ଯାଦବ ଏବଂ ମୁଁ । ଆମେ ୫ ବର୍ଷ କେବଳ ଆକ୍ଟିଂ ହିଁ ଶିଖିଛୁ । ଅନ୍ୟମାନଙ୍କୁ ଦେଖିଲେ ନଜର ଆସିବନି କିନ୍ତୁ ଆମେ ଦୁହେଁ ସବୁଠାରୁ ଅଧିକ ପଢ଼ୁଆ ଅଭିନେତା । ଏହି ଇଣ୍ଟରଭ୍ୟୁରେ ନୱାଜୁଦ୍ଦିନ୍ ନିଜ ସଂଘର୍ଷ ସମୟର ଦିନକୁ ମଧ୍ୟ ମନେ ପକାଇ କହିଥିଲେ ଯେ ଯେତେବେଳେ ସବୁ କଳାକାର ସିନେମାରେ କାମ ପାଇବାକୁ ସଂଘର୍ଷ କରୁଥିଲେ ସେତେବେଳେ ରାଜପାଲଙ୍କ ଘର କୌଣସି ଲଙ୍ଗରଠାରୁ କମ୍ ନଥିଲା । ସମସ୍ତେ ତାଙ୍କ ଘରକୁ ଯାଇ ଖାଦ୍ୟ ଖାଉଥିଲେ । ସେତେବେଳେ ରାଜପାଲଙ୍କୁ କାମ ପରେ କାମ ମିଳୁଥିଲା । ଯିଏ ବି ଯାଉଥିଲେ ତାଙ୍କ ଘରେ ଖାଉଥିଲେ ଏବଂ ରହୁଥିଲେ । ରାଜପାଲ କେବେ ବି କାହାକୁ କିଛି କହିନାହାନ୍ତି । ଜଣେ ଭଲ ହୃଦୟର ଏବଂ ସମ୍ବେଦନଶୀଳ ମଣିଷ ହେଉଛନ୍ତି ରାଜପାଲ୍ ଯାଦବ ।’’ ତେବେ ନୱାଜୁଦ୍ଦିନଙ୍କ ଏହି ପୁରୁଣା ଭିଡିଓ ଭାଇରାଲ୍ ହେବା ପରେ ୟୁଜର୍ସ ବଲିଉଡରେ ବନ୍ଧୁତା ଏବଂ ନୱାଜୁଦ୍ଦିନଙ୍କୁ ନେଇ ପ୍ରଶ୍ନ ପଚାରୁଛନ୍ତି । ନୱାଜୁଦ୍ଦିନଙ୍କ ବେଳକୁ ରାଜପାଲ୍ ଥିଲେ ରାଜପାଲଙ୍କ ବେଳକୁ କୁଆଡ଼େ ଗଲେ ନୱାଜୁଦ୍ଦିନ୍ କହି ସମସ୍ତେ ପ୍ରଶ୍ନ ଉଠାଉଛନ୍ତି ।
Follow Us