କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯବାନଙ୍କୁ ଭେଟିବା ପରେ ନିଜର ଅଭିଭାଷଣ ରଖିଛନ୍ତି ରାଜନାଥ । ସେନାର ସାହସକୁ ପ୍ରଶଂସା କରିବା ସହ କାଶ୍ମୀରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ’ଶତ୍ରୁ ସହ ଲଢିଥିବା ସେନା ଯବାନଙ୍କ ସାହସକୁ ମୋର ନମନ । ଯୁଦ୍ଧରେ ଆହତ ହୋଇଥିବା ଯବାନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ଭଗବାନଙ୍କ ପାଖରେ ମୋର ଏତିକି ପ୍ରାର୍ଥନା । ଅପରେସନ୍ ସିନ୍ଦୂରକୁ ସଫଳ କରିବା ପାଇଁ ସେନା ଯାହା କରିଛି ତାକୁ ନେଇ ଆମେ ଗର୍ବିତ’ ।
ଜମ୍ମୁକାଶ୍ମୀର ଜନତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ କହିଛନ୍ତି, ’ମୁଁ ସେହି ସାହସୀ ଲୋକଙ୍କୁ ଭେଟିବାକୁ ଆସିଛି, ଯେଉଁମାନେ ଶତ୍ରୁକୁ ପରାଜୟ କରିବାରେ ସାହସ ଦେଖାଇଛନ୍ତି । ଯେଉଁଭଳି ଭାବରେ ପାକିସ୍ତାନର ଅବସ୍ଥା ହୋଇଛି ତାହା କେବେ ପାକିସ୍ତାନ୍ ଭୁଲିପାରିବ ନାହିଁ । ମୁଁ କେବଳ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଜମ୍ମୁକାଶ୍ମୀର ଆସିନି, ଜଣେ ପୋଷ୍ଟମ୍ୟାନ୍ ହୋଇ ଆସିଛି । ଦେଶବାସୀଙ୍କ ବାର୍ତ୍ତା ନେଇ ଆସିଛି । ଦେଶବାସୀ ଆମ ସେନାକୁ ନେଇ ବହୁତ ଗର୍ବିତ । ଅପରେସନ୍ ସିନ୍ଦୂର କେବଳ ଏକ ମିଶନ ନଥିଲା ଏହା ଆମର ପ୍ରତିବଦ୍ଧତା । ଏହା ଏପରି ଏକ ପ୍ରତିବଦ୍ଧତା, ଯେଉଁଥିରେ ଭାରତ ଦେଖାଇଦେଇଛି ଯେ, ଆମେ କେବଳ ପ୍ରତିରୋଧ କରୁନି, ଦରକାର ପଡିଲେ ଉଚିତ୍ ନିଷ୍ପତ୍ତି ବି ନେଇଥାଉ, ଏବଂ କଠୋର କାର୍ଯ୍ୟାନୁଷ୍ଠାନ ବି ନେଇଥାଉ । ପୂରା ଦୁନିଆ ଦେଖିଲା, ଆତଙ୍କବାଦ ବିରୋଧରେ ଭାରତ କେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇପାରେ ।
ସେ ଆହୁରି ମଧ୍ୟ କହିଛନ୍ତି, ’ପହଲଗାମ୍ରେ ଲୋକଙ୍କ ଉପରେ ଆକ୍ରମଣ କରି ଆତଙ୍କୀମାନେ ଭାରତକୁ କଠୋର ଆଘାତ ଦେଇଥିଲେ । ଭାରତର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ସେମାନେ ଭାରତର ମୁଣ୍ଡକୁ ଆଘାତ ଦେଲେ ଆମେ ତାଙ୍କ ଛାତିକୁ ଚିରି ଆଘାତ ଦେଇଛୁ । ପାକିସ୍ତାନ ଯଦି ତାର ଏହି କ୍ଷତକୁ ଭରଣା କରିବାକୁ ଚାହୁଛି ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେବା ବନ୍ଦ କରୁ ପାକିସ୍ତାନ’ ।