କନକ ବ୍ୟୁରୋ : କାଶ୍ମୀରର ପହଲଗାମରେ ସାଧାରଣ ଲୋକଙ୍କ ରକ୍ତରେ ହୋଲି ଖେଳିଥିବା ଆତଙ୍କୀ ଓ ତାଙ୍କ ଗୁରୁମାନଙ୍କ ଉପରେ ଖୁବଶୀଘ୍ର ପ୍ରଚଣ୍ଡ ପ୍ରହାର ହେବ । ଏନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଅପରେସନ ପହଲଗାମ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ସରକାର ପ୍ରତିଟି ମାମଲାର ପ୍ରତିଶୋଧ ନେବେ ଯାହା ଜରୁରି ଓ ଉପଯୁକ୍ତ । ଆତଙ୍କବାଦ ଉପରେ ପ୍ରହାର ତୀବ୍ର ହେବ ବୋଲି ଇସାରା ଇସାରାରେ ସୂଚନା ଦେଇଛନ୍ତି ରାଜନାଥ ସିଂ । ସେ କହିଛନ୍ତି କି, କେବଳ ଆତଙ୍କବାଦୀ ନୁହଁନ୍ତି ପର୍ଦ୍ଦା ପଛରେ ରହି ଷଡଯନ୍ତ୍ର କରୁଥିବା ସଂଗଠନଗୁଡିକ ଉପରେ ମଧ୍ୟ ଆକ୍ରମଣ ହେବ । ରାଜନାଥଙ୍କ ଏହି ବୟାନ ପାକିସ୍ତାନ ବିରୋଧରେ ସ୍ପଷ୍ଟ ଚେତାବନୀ ବୋଲି କୁହାଯାଉଛି । 

Advertisment

ରାଜନାଥ ସିଂ ଦେଶବାସୀଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କେବଳ ଆତଙ୍କବାଦୀ ନୁହଁନ୍ତି ବରଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ସଂଗଠନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାରତ ଏତେ ପୁରୁଣା ସଭ୍ୟତା ଓ ଏତେ ପୁରୁଣା ଦେଶ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରି ଭୟଭୀତ  କରାଯାଇପାରିବ ନାହିଁ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବଶୀଘ୍ର ଜବାବ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।