କନକ ବ୍ୟୁରୋ: ସଂସଦଭବନ ପରିସରରେ ଆଜି ଏକ ରୋଚକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଆସି ପହଞ୍ଚିଥିଲେ ତାଙ୍କୁ ଘେରିଯାଇଥିଲେ ବିରୋଧୀ ଦଳ ସାଂସଦ । ଏହି ସମୟରେ ତାଙ୍କ ପାଖକୁ ଆସି ଗୋଲାପ ଫୁଲ ଦେଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଯାହାକୁ ରାଜନାଥ ଗ୍ରହଣ ନକରି ଗୃହ ଭିତରୁ ଚାଲିଯାଇଥିଲେ ।
ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ପରିସରରେ ଏକାଠି ହୋଇଥିଲେ ବିରୋଧୀ ସାଂସଦ ଓ ଯେଉଁ ଏନଡିଏ ସାଂସଦ ଆସୁଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରୁଥିଲେ । ଏହି କ୍ରମରେ ରାଜନାଥ ସିଂ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ । ଏହି ସମୟରେ ରାଜନାଥ ସିଂ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା । କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ । ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଏହି ଘଟଣାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Follow Us