କନକ ବ୍ୟୁରୋ: କଟନୀଛଟନୀ ହେବନି, ଚାଷୀଙ୍କୁ ତାଙ୍କ ପରିଶ୍ରମର ଉଚିତ ପ୍ରାପ୍ୟ ମିଳିବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜନଗର ବ୍ଲକରେ ତାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । ମଣ୍ଡିରେ ଓ ମିଲ୍ରେ ଚାଷୀଙ୍କୁ ଶୋଷଣ କରାଯାଉଥିବାର ଚିତ୍ର ଆମେ ପୂର୍ବରୁ ଦେଖାଇଛୁ। ଏପଟେ ଆଉ ଏକ ଗୁରୁତର ବିଭ୍ରାଟ ସାମ୍ନାକୁ ଆସିଛି। ଆବଶ୍ୟକ ଅନୁସାରେ ଟୋକନ୍ ଆସିନି । ଫଳରେ ଧାନ ବିକ୍ରି କରିନପାରି ଅଳ୍ପ ଦରରେ ବାହାର ରାଜ୍ୟର ଦଲାଲଙ୍କୁ ନିଜ ଧାନ ଟେକିଦେଉଛି ।
ଚାଷୀଙ୍କୁ ଶୋଷଣ ଚରମସୀମାରେ!
ଦାଉ ସାଧୁଛି ଟୋକନ ସମସ୍ୟା
ରାଜନଗରରେ ଚଳିତ ବର୍ଷ ଭଲ ଧାନ ହୋଇଥିଲା, ଚାଷୀ ଆଶା କରିଥିଲା ଧାନ ବିକିରି ଭଲ ଦିପଇସା ପାଇବ। ମାତ୍ର ଯୋଗାଣ ବିଭାଗର ଭୁଲ ଚାଷୀଙ୍କ ନିଦ ହଜାଇଦେଇଛି। ଯେତିକି ଚାଷ ତା’ ଠୁ କମ୍ ଧାନ ବିକ୍ରି ପାଇଁ ଟୋକନ୍ ଆସିଛି। ଶହେରୁ ୨ଶହ କ୍ବିଣ୍ଟାଲ ଧାନ ଅମଳ କରିଥିବା ଚାଷୀଙ୍କୁ ମାତ୍ର ୩ରୁ ୪ କ୍ବିଣ୍ଟାଲ୍ ଧାନ ବିକ୍ରି ପାଇଁ ଟୋକନ ମିଳିଛି । ସେତିକିରେ ସରିନି ଦୁଃଖ। ଅନେକ ଚାଷୀଙ୍କର ଏଯାଏଁ ଟୋକନ ଆସିନି। ଫଳରେ ଗାଁ ଦାଣ୍ଡରେ ଗଦା ହୋଇଛି ବସ୍ତା ବସ୍ତା ଧାନ । ବଳକା ଧାନକୁ କରିବୁ କ’ଣ? କ୍ଷୋଭର ସହକାରେ କହିଛି ଚାଷୀ ।
ନିଦ୍ରାରେ ସରକାର!
ମାତିଲେଣି ଦଲାଲ
ବାହାରେ ଧାନ ପଡ଼ି ରହିବାରୁ ମୂଷା ଓ ଷଣ୍ଢ ଧାନ ନଷ୍ଟ କରିପକାଉଛନ୍ତି। ଚାଷୀର ଏହି ଅସହାୟତାର ଫାଇଦା ଉଠାଉଛନ୍ତି ଦଲାଲ। କେନ୍ଦ୍ରାପଡାରେ ବାହାର ରାଜ୍ୟର ବେପାରୀ ଗାଡ଼ି ଧରି ବୁଲୁଛନ୍ତି। ଦିନଦିପହରେ ଓଡ଼ିଶା ଧାନ ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି। ଦଲାଲ ମାଲେମାଲ ହେଉଥିବା ବେଳେ ଚାଷୀ ତାର ସଠିକ ମୂଲ ପାଇ ପାରୁନି। ଅଭିଯୋଗ ଆସିଲେ ସମସ୍ୟାର ସମାଧାନ କରାଯିବ କହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
ଯୋଗାଣ ବିଭାଗ ଦ୍ବାରା ଏତେ ବଡ଼ ଭୁଲ୍ କେମିତି? ଅନ୍ନଦାତାଙ୍କୁ କାହିଁକି ଅଣଦେଖା? ନା ଚାଷୀଙ୍କୁ ଠକୁଛନ୍ତି ସରକାର? ଏହି ସବୁ ଅବ୍ୟବସ୍ଥା ପାଇଁ ଚାଷ କାର୍ଯ୍ୟରୁ ମୁହଁ ଫେରାଇବାରେ ଲାଗିଛି ଚାଷୀ।
Follow Us