କନକ ବ୍ୟୁରୋ : ସତ୍ତା ହରାଉଛି ରାଜୀବ ଗାନ୍ଧୀ ଷ୍ଟାଡିୟମ୍ । ଅନ୍ତର୍ଜାତିୟ ଖେଳାଳି ସରସ୍ୱତୀ ଚାନ୍ଦ, ଦୂତି ଚାନ୍ଦ ଓ ବାପି ହାଂସଦାଙ୍କ ଭଳି ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ପ୍ରାରମ୍ଭିକ ଅଭ୍ୟାସ କରୁଥିବା ଏହି ଷ୍ଟାଡିୟମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । କ୍ରୀଡ଼ାବିତ୍‌ ଓ ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବି ଓ ଅନଶନ ପରେ ବି ଆନ୍ତରିକତାର ଅଭାବ ଓ ପ୍ରଶାସନିକ ଅସହଯୋଗ ପାଇଁ ଷ୍ଟାଡିୟମର ଉନ୍ନତି ହୋଇପାରୁନି । 

Advertisment

ବଡ଼ ବଡ଼ ଗଛ, ଘାସ ବୁଦା ଆଉ ତାରି ଭିତରେ ଜମିଛି ଡ୍ରେନର ଆବର୍ଜନା ପାଣି  । ବର୍ଷ ବର୍ଷ ଧରି ଅବଳେହିତ ହୋଇପଡିରହିଛି  ଯାଜପୁରର ରାଜୀବ ଗାନ୍ଧୀ ଷ୍ଟାଡିୟମ । ୧୯୮୪ରେ ୧୫ ଏକର ଜାଗାରେ ବ୍ୟାସନଗର ମ୍ୟୁନିସିପାଲଟିରେ ଏହାର ନିର୍ମାଣ ହୋଇଥିଲା । ଷ୍ଟାଡିୟମରେ ସେତବେଳେ ସରକାରୀ ଅନୁଦାନରେ ୨ଟି ଗ୍ୟାଲେରୀ ଓ ମୁଖ୍ୟ ଫାଟକ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ୭୦ ଭାଗ ଜମିରେ ପାଚେରୀ କରାଯାଇ ୧୭ ବର୍ଷ ପରେ ଏକ ଇଣ୍ଡୋର ଷ୍ଟାଡିୟମ କରାଯାଇଥିଲା । ଯାହାର ବାକି ଅଂଶ ଏବେ ଜଙ୍ଗଲ ପାଲଟିଗଲାଣି । ଯାହା ନିର୍ମାଣ ହୋଇଥିଲା ତାହା ବି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି । ଏମିତି ପରିବଶରେ ଖେଳାଳି ବାଧ୍ୟ ହୋଇ ଅଭ୍ୟାସ କରୁଛନ୍ତି । ପାଚେରୀ ଭାଙ୍ଗିଯାଇଥିବାରୁ ବୁଲା ଗାଈଗୋରୁଙ୍କ ସହ ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ମହିଳା କ୍ରୀଡାବିତଙ୍କ ପାଇଁ ବି କୌଣସି ବ୍ୟବସ୍ଥା କରାଯାଇନାହିଁ।       

ଷ୍ଟାଡିୟମର ପୁନଃରୁଦ୍ଧାର ପାଇଁ ଅନେକ ଥର କ୍ରୀଡ଼ାବିତ୍‌ ଧାରଣା ଦେଇଛନ୍ତି । ହେଲେ ଖାଲି ପ୍ରତିଶ୍ରୁତିରେ ଅଟକିଛି କାମ । ଅନ୍ୟପଟେ ବ୍ୟାସନଗର ସହରରେ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦିଆଯିବ । ଏହା ସହ ଷ୍ଟାଡିୟମର ଆଧୁନୀକିକରଣ କରାଯିବା ନେଇ ମିଳିଛି ପ୍ରତିଶ୍ରୁତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମଟିକୁ ଅନୁଦାନର ସୁଅ ଛୁଟୁଥିବାବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ଖେଳାଳିଙ୍କ ଉପଯୋଗୀ କରାଯାଇପାରିଲେ ବହୁ ଖେଳାଳି ଉପକୃତ ହୋଇପାରିବେ ।