କନକ ବ୍ୟୁରୋ: ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'କୁଲି'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲୋକେଶ କନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତଙ୍କ ଏକ ଏପରି ଅବତାର ଦେଖିବାକୁ ମିଳିବ ଯାହା ପୂର୍ବରୁ କେହି କେବେ ଦେଖିନଥିବେ । ଫିଲ୍ମଟି ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଏହାର ପ୍ରଥମ ରିଭ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦର୍ଶକଙ୍କ ମଧ୍ୟରେ ଆହୁରି କ୍ରେଜ୍ ବଢାଇ ଦେଇଛି ।

Advertisment

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ପୋଷ୍ଟକୁ 'କୁଲି'ର ପ୍ରଥମ ରିଭ୍ୟୁ ବୋଲି ଦାବି କରାଯାଉଛି । ଏହି ପୋଷ୍ଟରେ ଲେଖାଅଛି, "ରଜନୀକାନ୍ତଙ୍କର ଏହା 'କାବିଲ' ପରଠାରୁ ଶ୍ରେଷ୍ଠ ଅଭିନୟ । ଶ୍ରୁତି ହାସନ ଫିଲ୍ମର ମୁଖ୍ୟ ଆକର୍ଷଣ । ନାଗାର୍ଜୁନ ଫିଲ୍ମର ମେରୁଦଣ୍ଡ । ଆମିର ଖାନଙ୍କ କ୍ୟାମିଓ ଥିଏଟରକୁ ଷ୍ଟାଡିୟମରେ ପରିଣତ କରିଦେବ । ଏକ ବହୁତ ବଡ଼ ସରପ୍ରାଇଜ୍ ଅଛି।" ଏହି ରିଭ୍ୟୁ ଫିଲ୍ମକୁ ନେଇ ଉତ୍କଣ୍ଠାକୁ ଆହୁରି ବଢାଇ ଦେଇଛି ଏବଂ ପ୍ରଶଂସକମାନେ ରିଲିଜ୍ ପାଇଁ ଅପେକ୍ଷା କରିପାରୁ ନାହାନ୍ତି । 

ଫିଲ୍ମର ଷ୍ଟାରକାଷ୍ଟ ଓ ଆମିର ଖାନଙ୍କ କ୍ୟାମିଓ

'କୁଲି'ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଥିସହିତ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କର ମଧ୍ୟ ଏକ ଜବରଦସ୍ତ କ୍ୟାମିଓ ରହିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ, ଆମିର ଖାନଙ୍କ ପ୍ରଡକ୍ସନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆମିର ଫିଲ୍ମର ବିତରଣରେ(Distribution) ସାମିଲ ନାହାନ୍ତି । ତାଙ୍କ ଟିମ୍ କହିଛି ଯେ ନିର୍ଦ୍ଦେଶକ ଲୋକେଶ କନଗରାଜ ଏବଂ ରଜନୀକାନ୍ତଙ୍କ ସହ ତାଙ୍କ ସମ୍ପର୍କ କାରଣରୁ ସେ ଏହି କ୍ୟାମିଓ ପାଇଁ ରାଜି ହୋଇଛନ୍ତି ।  

ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କାର ଆୟ

ଭାରତରେ 'କୁଲି'ର ଆଡଭାନ୍ସ ବୁକିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲେ ମଧ୍ୟ ବିଦେଶରେ ଏହି ଫିଲ୍ମ ଧମାକାଦାର ଆୟ କରୁଛି । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଓଭରସିଜ୍ ଆଡଭାନ୍ସ ବୁକିଂରୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ଡଲାର (ପ୍ରାୟ ୧୬.୫ କୋଟି ଟଙ୍କା)ରୁ ଅଧିକ ଆୟ କରିସାରିଲାଣି, ଯାହା ଏକ ବଡ଼ କଲେକ୍ସନ ।  ଆମେରିକା ଭଳି ଦେଶରେ 'କୁଲି'ର ଆଡଭାନ୍ସ ବୁକିଂ ହ୍ରିତିକ ରୋଶନଙ୍କ 'ୱାର୍ ୨'କୁ ପଛରେ ପକାଇ ଦେଇଛି ।

ବକ୍ସ ଅଫିସରେ ବଡ଼ ଟକ୍କର

ରଜନୀକାନ୍ତଙ୍କ 'କୁଲି'ର ବକ୍ସ ଅଫିସରେ ସିଧାସଳଖ ମୁକାବିଲା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ୱାର୍ ୨' ସହିତ ହେବ, ଯାହା ଅଗଷ୍ଟ ୧୪ରେ ମୁକ୍ତିଲାଭ କରୁଛି । ଉଭୟ ବଡ଼ ଫିଲ୍ମ ହୋଇଥିବାରୁ କେଉଁ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।