କନକ ବ୍ୟୁରୋ : ଦେଶର ନେତାମାନଙ୍କର ହୋଇଛି କ’ଣ । ବଞ୍ଚିଲା ଲୋକଙ୍କୁ ଛାଡି ସବୁ ନେତା ଏବେ ମୃତ୍ରୁ୍ୟବରଣ କରିଥିବା ପୂର୍ବତନ ନେତା, ମନ୍ତ୍ରୀଙ୍କ ପଛରେ ପଡିଯାଇଛନ୍ତି । ବିଜେପି ନେହେରୁଙ୍କ ଠାରୁ ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କୁ ନେଇ ରାଜନୀତି କରୁଥିବା ବେଳେ କଂଗ୍ରେସ ନାଥୁରାମଙ୍କ ଠାରୁ ନେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ମୃତ୍ୟୁବରଣ କରିଥିବା ନେତାଙ୍କୁ ନେଇ ରାଜନୀତି କରୁଛି । ଏହି କ୍ରମରେ ଗତକାଲି ରାଜସ୍ଥାନ ବିଧାନସଭାରେ ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ରାଜସ୍ଥାନ ବିଧାନସଭା ଅଧିବେଶନ ବେଳେ ବିଜେପି ସରକାରରେ ମନ୍ତ୍ରୀ ଥିବା ଅଭିନାଶ ଗେହଲତ ଇନ୍ଦିରା ଗାନ୍ଧୀଙ୍କ ସନ୍ଦର୍ଭରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଏଭଳି ସ୍ଥିତିରେ ବାଚସ୍ପତି କଂଗ୍ରେସର ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ଏହି ନିଲମ୍ବିତ ବିଧାୟକମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ ମୁଖ୍ୟ ଗୋବିନ୍ଦ ଡୋଟାସରା । 

Advertisment

ନିଲମ୍ବନ ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଜୋରଦାର ହଙ୍ଗାମା କରିଥିଲେ । ଏହି ହଙ୍ଗାମା ବିଧାନସଭା ପରିସରରେ ରାତିସାରା ଚାଲିଥିଲା । କମ୍ବଳ, ଚାଦର ତକିଆ ଧରି କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ପ୍ରତିବାଦ କରିଥିଲେ । ଗୋଟିଏ ଦାବି ଥିଲା ବେଆଇନ ଭାବେ କରାଯାଇଥିବା ନିଲମ୍ବନ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏହା ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି କଂଗ୍ରେସ ବିଧାୟକ ରାତିସାରା ବିଧାନସଭା ଭି୍ତରେ କୀର୍ତ୍ତନ କରିଥିଲେ । 

ଏନେଇ ଆଜି ରାଜସ୍ଥାନ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆୟୋଜନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ମନ୍ତ୍ରୀ ଅଭିନାଶଙ୍କ କୁଶପୁତଳିକା ପୋଡାଯିବ । ଏବେ ଦେଖିବାକୁ ବାକି ରହିଲା କଂଗ୍ରେସର ଏହି ପ୍ରଦର୍ଶନ ରାଜସ୍ଥାନ ସରକାରଙ୍କ ଉପରେ କିଭଳି ପ୍ରଭାବ ପକାଉଛି ।