କନକ ବ୍ୟୁରୋ: ଏକ ଅନଲାଇନ୍ ଗେମିଂ ଆପରେ  ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନ କୋଟା ଜିଲ୍ଲାର ଏକ ଦମ୍ପତି ହତାଶ ହୋଇ ଚରମ ପନ୍ଥା ଗ୍ରହଣ କରିଛନ୍ତି । ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ନିଜ ଘରେ ଦୀପକ ରାଠୋଡ଼ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ଼ ରଶି ଲଗାଇ ଜୀବନ ହାରିଛନ୍ତି ।

Advertisment

ପୁଲିସର ସୂଚନା ମୁତାବକ , ମାନସିକ ଅବସାଦରେ ଥିବା ଦୀପକ ରବିବାର ବଜାରରୁ ଦଉଡ଼ି କିଣି ଆଣିଥିଲେ । ରାତିରେ ଖାଇସାରିବା ପରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରଦିନ ସକାଳୁ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ୍ କବାଟ ବାଡ଼େଇବାରୁ ୫ ବର୍ଷର ଝିଅ ନିଦରୁ ଉଠି କବାଟ ଖୋଲିଥିଲା । ଏହାପରେ ପରିବାର ଲୋକେ ପୁଅ, ବୋହୂଙ୍କୁ  ରଶିରେ ଝୁଲୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲେ ବି ପରିବାର ଲୋକଙ୍କ କହିବା ଅନୁସାରେ, ଦୀପକ ପ୍ରାୟ ସମୟ ତାଙ୍କ ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ଟଙ୍କା ଲଗାଉଥିଲେ । ନିକଟରେ ସେ ଏକ ଅନଲାଇନ୍ ଗେମିଂ ଆପରେ ପାଖାପାଖି ୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ।  ସେ ଅନେକ ସମୟରେ ଉଦାସ ରହୁଥିଲେ । ତେଣୁ ତାଙ୍କ ଆତ୍ମହତ୍ୟାର କାରଣ ଅନଲାଇନ୍ ଗେମ୍ ହିଁ ହୋଇପାରେ ବୋଲି ପରିବାର ଲୋକେ କହିଛନ୍ତି ।