କନକ ବ୍ୟୁରୋ: ମହଙ୍ଗାକୁ ନେଇ ମୋହନ ସରକାରଙ୍କୁ ଲୋୟର ପିଏମଜିରେ ନିଶାନା କରିଚାଲିଥିଲେ ବିଜେଡିର ତୁଙ୍ଗନେତା । ହେଲେ ରାଜାଙ୍କ କଟାକ୍ଷ ବିଜେଡିକୁ ମହଙ୍ଗା ପଡିଛି । ବିଜେଡି ନେତାଙ୍କୁ ତେରଛା ବାଣ ମାରିଛନ୍ତି ରାଜା । ସେପଟେ ବିକ୍ଷୋଭ ସମାବେଶରେ ବବିଙ୍କୁ ପୁଣି କହିବାକୁ ମିଳିଲାନି ସୁଯୋଗ । ତେଣୁ ପ୍ରଶ୍ନ ଉଠୁଛି, ବିଜେଡିରେ ବବିଙ୍କ ଦବଦବା କମୁଛି କି?

Advertisment
  • ପୁଣି ରାଜା ମାରିଲେ ତେରେଛା ବାଣ
  • ଇସାରା କାହାକୁ?
  • ‘ବହୁ ନେତା ହଲର ବଲର ହେଉଛନ୍ତି’

ଦରବୃଦ୍ଧିକୁ ନେଇ ଲୋୟର ପିଏମଜିରେ ବିଜେଡି ନେତା ଗର୍ଜନ ତର୍ଜନ କରି ଡବଲ ଇଞ୍ଜିନ ସରକାରଙ୍କୁ ନିଶାନା କରୁଥିଲେ । ଠିକ ଏତିକି ବେଳେ ମଞ୍ଚକୁ ଆସି ଦଳର ମଞ୍ଜ କଥାକୁ ପଦାରେ ପକାଇଛନ୍ତି ରାଜା ସ୍ବାଇଁ । ଆଉ କହୁ କହୁ କହିଦେଇଥିଲେ, ବହୁ ନେତା ହଲର ବଲର ହେଉଛନ୍ତି । ଦେଖୁଛନ୍ତି ଏପଟେ ଯିବୁ କି ସେପଟେ ଯିବୁ । କିନ୍ତୁ ସମୟ ଆସିଛି, ଆମେ ଲଢେଇ କରିବା ପାଇଁ । ମହଙ୍ଗାକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ, ରାଜାଙ୍କ କଟାକ୍ଷ ବିଜେଡିକୁ ମହଙ୍ଗା ପଡିଛି । ହେଲେ କାହାକୁ ଇଙ୍ଗିତ କରି ଏଭଳି ବୟାନ ରଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ? ଆଉ କିଛି ନେତା ଦଳଡିଆଁ ଲକ୍ଷ୍ୟରେ ଅଛନ୍ତି କି? ଯାହାକୁ ଲକ୍ଷ୍ୟ କରି ଏଭଳି କଟାକ୍ଷ କରିଛନ୍ତି ରାଜା । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଫୁଲ୍ଲ ସାମଲ । କହିଛନ୍ତି, ରାଜା ସ୍ୱାଇଁ ଯାହା କୁହନ୍ତି, ଅପ୍ରିୟ ସତ ।

  • ବିଜେଡିରେ କମୁଛି କି ବବିଙ୍କ ଦବଦବା?
  • କହିଲେନି ନା ସୁଯୋଗ ମିଳିଲାନି?

ସୋମବାର ବିଜେଡିର ସମାବେଶକୁ ପରିଚାଳନା କରୁଥିଲେ ଦେବୀ ମିଶ୍ର । ଜଣେ ପରେ ଜଣେ ନେତାଙ୍କୁ ଡାକି ଭାଷଣ ଦେବାକୁ କହୁଥିଲେ । ହେଲେ ବବିଙ୍କ ନାଁ ନେଇନଥିଲେ । କିନ୍ତୁ ମଞ୍ଚ ପଛପଟେ ଉପସ୍ଥିତ ଥିଲେ ବବି । ଆଉ ଯେତେବେଳେ ମଞ୍ଚ ଉପରକୁ ନବୀନ ଆସିଲେ, ସେତେବେଳେ ବବି ମଧ୍ୟ ଆସିଲେ । କିନ୍ତୁ ଭାଷଣ ଦେଇନଥିଲେ । ପ୍ରଶ୍ନ ଉଠୁଛି, ବବିଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା ନା ନିଜେ କହିବାକୁ ଚାହୁଁନଥିଲେ । କିଛିଦିନ ହେଲା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବବିଙ୍କର ଆଉ ସେତେଟା ଦେଖାମିଳୁନି । ଡିସେମ୍ୱର ୨୬ ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଉପସ୍ଥିତ ନଥିଲେ ବବି । ତେଣୁ ଚର୍ଚ୍ଚା ହେଉଛି, ଦଳରେ କମୁଛି କି ବବିଙ୍କ ଦବଦବା ?