କନକ ବ୍ୟୁରୋ: ହନିମୁନ୍ ପାଇଁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ । ଏଯାଏଁ ପତ୍ନୀଙ୍କର ମିଳୁନି ସନ୍ଧାନ । ଇନ୍ଦୋରର ଏକ ଦମ୍ପତି ହନିମୁନ୍ ପାଇଁ ମେଘାଳୟ ଯାଇଥିବା ବେଳେ ତାଙ୍କ ସହ କ’ଣ ଘଟିଲା, ତାହା ଏବେ ରହସ୍ୟ ଘେରରେ ।
ମେ ୧୧ରେ ବାହା ହୋଇଥିଲେ ଇନ୍ଦୋରର ରାଜା ରଘୁବଂଶୀ । ପରିବାରର ସହମତିରେ ସୋନମଙ୍କ ସହ ହୋଇଥିଲା ବିବାହ । ୯ ଦିନ ପରେ ହନିମୁନ୍ ପାଇଁ ଯାଇଥିଲେ ମେଘାଳୟ । ମେ ୨୦ରେ ଗୁଆହାଟି କାମାକ୍ଷା ମନ୍ଦିର ଦର୍ଶନ କରି ସେଠାରୁ ସିଲଂ ବାହାରିଥିଲେ । କିନ୍ତୁ ସିଲଂରେ ପହଞ୍ଚିବାର ୪୮ ଘଣ୍ଟା ପରେ ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ୨ଜଣ । ମେ ୨୩ ଦିନ ୨ଟା ସମୟରେ ଶେଷ ଥର ପାଇଁ ବୋହୂ ସୋନମ୍ ସହ କଥା ହୋଇଥିଲେ ରାଜାଙ୍କ ମାଆ । ଏହାପରେ ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ସନ୍ଦେହ ହେବାରୁ ପରିବାର ସଦସ୍ୟ ସିଲଂରେ ପହଞ୍ଚି ଥାନାର ଦ୍ବାରସ୍ଥ ହୋଇଥିଲେ । ଯାହାପରେ ନିଖୋଜ ରାଜା ଓ ସେମାନଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ୨୪ ତାରିଖ ରାତିରେ ରାସ୍ତା କଡ଼ରୁ ଏକ ସ୍କୁଟି ଜବତ ହୋଇଥିଲା, ଯାହାକୁ ଭଡ଼ାରେ ନେଇଥିଲେ ରାଜା । ପରେ ଜଙ୍ଗଲରୁ ୨ଟି ବ୍ୟାଗ୍ ମିଳିଥିଲା । ଏହି ବ୍ୟାଗ୍ ସୋନମ୍ ଓ ରାଜାଙ୍କର ହୋଇଥିବା ଚିହ୍ନଟ କରିଥିଲେ ପରିବାର ଲୋକେ । ଏହାପରେ ଡ୍ରୋନ୍ ଯୋଗେ ଉଭୟଙ୍କୁ ଖୋଜିଥିଲା ପୁଲିସ ।
ନିଖୋଜ ହେବାର ୧୦ ଦିନ ପରେ ଜଙ୍ଗଲରୁ ରାଜାଙ୍କ ମୃତଦେହ ମିଳିଥିଲା । କିନ୍ତୁ ଏଯାଏଁ ସୋନମଙ୍କ ସନ୍ଧାନ ମିଳିପାରିନାହିଁ । ଲୁଟ୍ ପାଇଁ ଏଭଳି ଘଟିଥିବା ସନ୍ଦେହ କରୁଛନ୍ତି ମୃତକଙ୍କ ପରିବାର ଲୋକ । କିନ୍ତୁ ପୁଲିସ ଏହାକୁ ଖଣ୍ଡନ କରିଛି । ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ରାଜାଙ୍କ ଭାଇ । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କାରିବା ସହ ଏଭଳି ଘଟଣା ନୂଆ ବୋଲି କହିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କେ ସାଙ୍ଗମା ।