କନକ ବ୍ୟୁରୋ : ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି ପୁଲିସ । ଏହି ମାମଲାର ଖିଅ ଖୋଜିବା ପାଇଁ ତିନି ରାଜ୍ୟର ପୁଲିସକୁ ଦିନରାତି ଏକ କରିବାକୁ ପଡ଼ିଥିଲା । ୧୭ ଦିନ ପର୍ଯ୍ୟନ୍ତ ମେଘାଳୟ ଏବଂ ମଧ୍ୟପ୍ରଦେଶ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ନାକେଦମ ହେଲା । ଶେଷରେ ପୁଲିସ ହାତରେ ଧରା ପଡ଼ିଛନ୍ତି ଅଭିଯୁକ୍ତ । ରାଜା ରଘୁବଂଶୀ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଆଉ କେହି ନୁହନ୍ତି ତାଙ୍କ ନିଜ ପତ୍ନୀ ସୋନମ ହିଁ ଥିଲେ । ସୋନମଙ୍କୁ ଗାଜିପୁରର ଗୋଟିଏ ଢ଼ାବାରୁ ଉତ୍ତରପ୍ରଦେଶ ପୁଲିସ ଧରିବାରେ ସଫଳ ହୋଇଛି । ଅନ୍ୟ ୪ ଅଭିଯୁକ୍ତ ମଧ୍ୟ ପୁଲିସ ହାତରେ ଧରା ପଡ଼ିଛନ୍ତି ।
/kanak/media/media_files/2025/06/09/eIoAHHVfpb8J3ckBWuu2.jpg)
ରାଜା ଏବଂ ସୋନମ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ । ସେହିଠାରେ ହିଁ ରାଜାଙ୍କୁ ସୁପାରି କିଲର୍ ହତ୍ୟା କରି ଘାଟିରୁ ଫିଙ୍ଗି ଦେଇଥିଲେ । ମୃତଦେହ ସମ୍ପୂର୍ଣ୍ଣ ଭାବରେ ସଢ଼ି ଯାଇଥିଲେ ସୁଦ୍ଧା ପରିବାର ଶବକୁ ଚିହ୍ନଟ କରିଛନ୍ତି । ମେଘାଳୟ ପୁଲିସ କହିବା ମୁତାବକ ସୋନମ ନିଜ ବୟଫ୍ରେଣ୍ଡଙ୍କ ସହ ମିଶି ସ୍ବାମୀଙ୍କ ହତ୍ୟା କରିଥିଲେ । ତେବେ ଏହି ଘଟଣାରେ ସର୍ବପ୍ରଥମେ ୧୯ ବର୍ଷୀୟ ଅଭିଯୁକ୍ତ ଆକାଶ ରାଜପୁତଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଅଭିଯୁକ୍ତ ମଧ୍ୟରେ ବିଶାଲ ସିଂ ଚୌହ୍ବାନ ଏବଂ ରାଜ ସିଂ କୁଶବାହା ରହିଛନ୍ତି । ଏହି ୨ ଜଣ ଇନ୍ଦୋରର ବାସିନ୍ଦା । ୨୧ ବର୍ଷୀୟ ରାଜ ସିଂ କୁଶବାହାଙ୍କୁ ସୋନମଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଛି ।
/kanak/media/media_files/2025/06/09/yFAuTiMk4XNnT8gNYIbr.jpg)
ଏହି ମାମଲାରେ ଅଭିଯୁକ୍ତ ଆନନ୍ଦ କୁର୍ମିଙ୍କୁ ସାଗରରୁ ଗିରଫ କରାଯାଇଛି । ଆନନ୍ଦ ହିଁ ପ୍ରଥମେ ରାଜାଙ୍କ ଉପରେ ଆକ୍ରମଣ କରିଥିଲା । ହତ୍ୟାକାଣ୍ଡ ମେ ୨୩ ତାରିଖରେ ଘଟିଥିବା ବେଳେ ଆରମ୍ଭରୁ ହିଁ ଦମ୍ପତିଙ୍କ ନିଖୋଜ ହେବାର ମାମଲା ହୋଇଥିବାରୁ ଏହାକୁ ହତ୍ୟାକାଣ୍ଡ ବୋଲି କେହି ସନ୍ଦେହ କରୁନଥିଲେ । କିନ୍ତୁ ଜୁନ୍ ୨ ରେ ରାଜାଙ୍କ ଶବ ମିଳିବା ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା ଏବଂ ହତ୍ୟାକାଣ୍ଡର ଖୁଲାସା ହେଲା । ଏହାପରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ ହେଲା । ମାତ୍ର ୭ ଦିନ ଭିତରେ ଏସଆଇଟିର ବିଶେଷ ଟିମ୍ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲେ ।