କନକ ବ୍ୟୁରୋ: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କ ଓକିଲଙ୍କ ଏହି ବୟନ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି । ଖଣି ଦୁର୍ନୀତିରେ ଛନ୍ଦି ହୋଇ ଜେଲ୍‌ ରେ ଥିବା ରାଜ ଚକ୍ର ଗୁରୁବାର ବାଲେଶ୍ୱର କୋର୍ଟରେ ହାଜର ହେବା ଅବସରରେ ତାଙ୍କ ଓକିଲ ସୁଧାଂଶୁ ଦ୍ୱିବେଦୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।  

Advertisment

ସୁଧାଂଶୁ ଦ୍ୱିବେଦୀ କହିଛନ୍ତି ଯେ, ୨୦୨୪ ଜୁନ ୭ ତାରିଖରେ ନୂଆ ସରକାରଙ୍କ ଶପଥ ଉତ୍ସବ ପାଇଁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା । ଗନ୍ଧମାର୍ଦ୍ଦନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ୧୪ ଲକ୍ଷ ଟଙ୍କା ମାଗିଥିଲେ ବିଜେପି ନେତା । ଶପଥ ସମାରୋହ ପରେ ଦୁଇ ବିଜେପି ନେତା ରାଜ୍ୟ ବିଜେପି ମୁଖିଆଙ୍କୁ ଟଙ୍କା ଦେବାକୁ କହିଥିଲେ । ଜୁଲାଇ ୪ ତାରିଖରେ ରିଜଲ୍ୟୁସନ କରାଯାଇ ବିଜେପି ମୁଖିଆଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ଆକାଉଣ୍ଟକୁ ୫୩ ଲକ୍ଷ, ପରେ ଆରଟିଜିଏସ୍ ମାଧ୍ୟମରେ ୫୦ ଲକ୍ଷ ଦିଆଯାଇଥିଲା । ୧୫ ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାଜାଙ୍କ ଓକିଲ । ଏହି ଅଭିଯୋଗ ନିଆଁ ଭଳି ସାରା ରାଜ୍ୟକୁ ବ୍ୟାପିଯାଇଛି । 
 
ରାଜା ଚକ୍ରଙ୍କ ଓକିଲ ସୁଧାଂଶୁ ଦ୍ବିବେଦୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି, ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । କହିଛନ୍ତି ମୋ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ମଧ୍ୟ ଖୋଲା ବହି । ନିଜ ଆକାଉଣ୍ଟ ସହ ଦଳର ଆକାଉଣ୍ଟ ଚେକ କରିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମନମୋହନ । 


ସୁଧାଂଶୁ ଦ୍ୱିବେଦୀଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି ତାହା କେବଳ ସୁଧାଂଶୁ ଓ ରାଜା ଚକ୍ରଙ୍କ ଛଡ଼ା ଅନ୍ୟ କାହାକୁ ଜଣାନାହିଁ  । ଏଭଳି ଅଭିଯୋଗର ତଦନ୍ତ ହେବ ନା କେବଳ ବୟାନବାଜିରେ ରହିଯିବ, ତାହାକୁ ଅପେକ୍ଷା ।