କନକ ବ୍ୟୁରୋ: ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଇଓଡବଲ୍ୟୁ ଗିରଫ କରିବା ପରେ ତେଜିଛି ରାଜନୀତି । ଆଇନମନ୍ତ୍ରୀ କହିଛନ୍ତି ଦୁର୍ନୀତିଖୋରଙ୍କୁ ଛାଡିବନି ବିଜେପି ସରକାର । ଅନ୍ୟପଟେ ତଦନ୍ତ ସରିବା ଯାଏଁ ଅପେକ୍ଷା କରିବାକୁ କହିଛି ବିଜେଡି । 

Advertisment

କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରକୁ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଗିରଫ କରିବା ପରେ ନେତା ଓ ଅଫିସରଙ୍କ ମଧ୍ୟରେ ଛନକା ପଶିଛି । ବିଜେଡି ସରକାରରେ ରାଜାଙ୍କୁ କଳାସାମ୍ରାଜ୍ୟ ଗଢିବାକୁ ଆଶୀର୍ବାଦ ଦେଇଥିବା ହାଇପ୍ରୋଫାଇଲ ବାବୁ ଓ ନେତା ଏବେ କ୍ରାଇମବ୍ରାଞ୍ଚର ସ୍କାନରରେ ରହିଛନ୍ତି । ରାଜାକୁ ମୋହରା କରି ମାଲେମାଲ ହୋଇଥିବା କାପର୍ଟଦାର ଗୋଷ୍ଠୀ ଆଇନ ପଞ୍ଝାରୁ ବର୍ତ୍ତିବେନି ବୋଲି ଚେତାଇ ଦେଇଛନ୍ତି ସରକାର । ଆଇନ ମନ୍ତ୍ରୀ କହିଛନ୍ତି, ଦୁର୍ନୀତିର ପେଡ଼ି ଖୋଲୁଛି। ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲେ ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲେ, ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହେବେ । 
 
ରାଜା ଚକ୍ର ଗିରଫ ହେବା ପରେ ବିଜେଡି ବିଧାୟକ ବଦ୍ରି ପାତ୍ର ନିଜ ଉପରୁ ଦୋଷ ଝାଡି ଦେବାକୁ ନେଇ ପ୍ରଶ୍ନ ଉଠିଛି ।  ଜଣେ ସାଧାରଣ ବସ୍ ହକରରୁ ବଦ୍ରିଙ୍କ ଛତ୍ରଛାୟାରେ ରାଜା ଉପରକୁ ଉଠିଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ବଦ୍ରି ଏତେ ଦିନ କାହିଁକି ଚୁପ୍ ଥିଲେ ? ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । 
ଏହାସହ ରାଜାଙ୍କ ସାମ୍ରାଜ୍ୟ ସୃଷ୍ଟି କରିବା ପଛରେ ସହଯୋଗୀ ସାଜିଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ମନ୍ତ୍ରୀ ତଦନ୍ତକୁ ଅପେକ୍ଷା ନକରି ଆକ୍ରୋଶମୂଳକ ଅଭିଯୋଗ କରୁଥିବା କହିଛି ବିଜେଡି । 
 
ବିଜେଡି ସରକାରରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଜରିଆରେ କୋଟିକୋଟି ଟଙ୍କାର ଅର୍ଥ ହେରଫେର କରିଥିବା ରାଜା ଚକ୍ର ଏବେ ଇଓଡବ୍ଲୁର ଚକ୍ରବ୍ୟୁହରେ ଫଶିଛି । କିନ୍ତୁ ପ୍ରଶ୍ନ ଉଠୁଛି, ରାଜା ଚକ୍ରର କଳା ସାମ୍ରାଜ୍ୟ ବାବଦରେ କେମିତି ଜାଣି ପାରୁନଥିଲା ପ୍ରଶାସନ? ନା ପ୍ରଭାବଶାଳୀଙ୍କ ପକେଟ ଗରମ କରି ରାଜା ଚକ୍ର ଅନାୟାସରେ ଚଳାଇଥିଲା କଳା ସାମ୍ରାଜ୍ୟ ?