କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ୨୦ ବର୍ଷ ତଳେ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ଦୁଇ ଭାଇ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ଉଦ୍ଧବ ଠାକରେ ଆଜି ମହାରାଷ୍ଟ୍ରର ତ୍ରିଭାଷୀ ମୁଦ୍ଦାକୁ ନେଇ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବେ । ଏହାକୁ ନେଇ ମହାରାଷ୍ଟ୍ରରେ ଅନେକ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।
ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ ନେଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡ଼ା ବିରୋଧ କରିଛନ୍ତି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଗୋଟିଏ ପାଦ ପଛକୁ ଫେରି ଏହି ଆଇନକୁ କିଛିଦିନ ପାଇଁ ସ୍ଥଗିତ ରଖିଛନ୍ତି । ଏହି ଅବସରରେ ଏହା ମରାଠୀମାନଙ୍କ ବିଜୟ ବୋଲି କହି ଏକ ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ଗୋଟିଏ ମଞ୍ଚରେ ଉଦ୍ଧବ ଠାକରେ ଓ ରାଜ୍ ଠାକରେ ଏକାଠି ହେବେ ।
୨୦ ବର୍ଷ ଭିତରେ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ରାଜନୈତିକ ଭାବେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ଏବେ ଆଗାମୀ ଦିନରେ ହେବାକୁ ଥିବା ମହାନଗରପାଳିକା ନିର୍ବାଚନର ଫଳାଫଳ ଉଭୟ ଭାଇଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ । ଏହାକୁ ନେଇ ବିରୋଧୀ କହିଛନ୍ତି କି, ଏହି ମେଳି ମରାଠୀମାନଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ମହାନଗରପାଳିକା ନିର୍ବାଚନ ପାଇଁ ।
ଏବେ ଆସନ୍ତୁ ଜାଣିବା ୨୦ ବର୍ଷ ଭିତରେ କେବେ କେବେ ଏକାଠି ହୋଇଛନ୍ତି ଦୁଇଭାଇ
- ୨୦୧୨ ଜୁଲାଇ ୧୭ ତାରିଖରେ ଉଦ୍ଧବ ଠାକରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଲୀଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ରାଜ୍ ଠାକରେ ତାଙ୍କୁ ଦେଖିବାକୁ ଯାଇଥିଲେ
- ୨୦୧୫ ଜାନୁଆରି୧୦ ତାରିଖରେ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ଉଦ୍ଧବ ଠାକରେଙ୍କ ଫଟୋ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ ରାଜ୍ ଠାକରେ
- ୨୦୧୫ ଡିସେମ୍ବର ୧୨ ତାରିଖରେ ଶରଦ ପାୱାରଙ୍କ ଅମୃତମହୋତ୍ସବ ଜନ୍ମଦିନରେ ଉଭୟ ଏକାଠି ହୋଇଥିଲେ
- ୨୦୧୯ ଜାନୁଆରି ୨୭ ତାରିଖରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କ ବାହାଘରକୁ ଆସିଥିଲେ ଉଦ୍ଧବ ଠାକରେ
- ୨୦୧୯ ନଭେମ୍ବର ୨୮ ତାରିଖରେ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବା ବେଳେ ରାଜ ଠାକରେ ଉପସ୍ଥିତ ଥିଲେ
- ୨୦୨୧ ଜାନୁଆରି ୨୩ ତାରିଖରେ ବାଲା ସାହେବଙ୍କ ପୁଣ୍ୟକୃତ୍ତି ପ୍ରତିମା ଅନାବରଣ ବେଳେ ଉଭୟ ଏକାଠି ହୋଇଥିଲେ ।
- ୨୦୨୪ ଡିସେମ୍ବର ୨୨ ତାରିଖରେ ରାଜ୍ ଠାକରେଙ୍କ ଭଉଣୀ ଜୟବନ୍ତୀ ଠାକରେଙ୍କ ପୁଅ ବାହାଘରରେ ଉଭୟ ଏକାଠି ହୋଇଥିଲେ ।
ବାସ୍ତବରେ ୨୦୧୪ ଓ ୨୦୧୭ ମସିହାରେ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନା ଏକାଠି ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଏ କାହାକୁ ସମର୍ଥନ ଦେବେ ତାହା ସ୍ଥିର ହୋଇପାରି ନଥିଲା । ହେଲେ ଏବେ ରାଜନୈତିକ ପରିସ୍ଥିତି ଦୁଇଭାଇଙ୍କୁ ଏକାଠି କରିଥିବାରୁ ଏହା ମହାରାଷ୍ଟ୍ର ରାଜନୀତିକୁ କିଭଳି ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର