କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନଙ୍କୁ ମଧ୍ୟ ଚମକାଇଦେଇଛି । ବିଜେପି ନେତୃତ୍ୱ ମହାୟୁତିର ମହାବିଜୟ ହୋଇଛି । ସେପଟେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡିର ଶୋଚନୀୟ ପରାଜୟ ହୋଇଛି । ଏହାରି ଭିତରେ ରାଜ୍ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବ ନିର୍ମାଣ ସେନା ସମସ୍ତ ଆସନରେ ପରାଜିତ ହୋଇଛି । ୧୨୫ ଟି ଆସନରେ ନିର୍ବାଚନ ଲଢିଥିଲେ ବି ଦଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇନାହିଁ ।
୨୦୦୯ ମସିହାରେ ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ନବ ନିର୍ମାଣ ସେନା । ଏହି ନିର୍ବାଚନରେ ଦଳ ୧୩ ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଯାହାକି ଦଳର ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାପରେ ପ୍ରତି ନିର୍ବାଚନରେ ଦଳର ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ୨୦୧୯ ମସିହାରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ହେଲେ ଚଳିତ ଥର ଦଳ ଖାତା ଖୋଲିବାରେ ଅସର୍ମଥ ହୋଇଛି । ୨୦୦୯ ରେ ଏମଏନଏସକୁ ୫.୭୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୪ ରେ ୩.୧୫ ପ୍ରତିଶତ ଓ ୨୦୧୯ରେ ୨.୨୫ ପ୍ରତିଶତ ଭୋଟ ମିଳିଥିଲା ।