କନକ ବ୍ୟୁରୋ: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ସ୍ମରଣୀୟ ମୂହୁର୍ତ୍ତ ଦେଖିବାକୁ ମିଳିଛି । ପୂରା ଦୁଇ ଦଶନ୍ଧି ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ଠାକରେ ଭାଇ ଉଦ୍ଧବ ଓ ରାଜ । ମରାଠୀ ଭାଷା ଅସ୍ମିତା ବଞ୍ଚାଇବା ଉଦ୍ଦେଶ୍ୟରେ ଶିବସେନା ଆୟୋଜିତ କରିଥିବା ମେଗା ରାଲିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ନିଜ ନିଜ ଅସ୍ତିତ୍ବ ବଞ୍ଚାଇବାକୁ ଏବେ ଉଦ୍ଧବ ଓ ରାଜ ଏକାଠି ହୋଇଛନ୍ତି । ବାହାନା ମହାରାଷ୍ଟ୍ର ଉପରେ ହିନ୍ଦୀ ଭାଷା ଲଦିବା ଅଭିଯୋଗ । ମାତ୍ର ଟାର୍ଗେଟ୍ରେ ରାଜ୍ୟରେ ହେବାକୁ ଥିବା ଆଗାମୀ ପୌର ନିର୍ବାଚନ । ଗତ ନିର୍ବାଚନରେ ଉଭୟଙ୍କ ଦଳର ଶୋଚନୀୟ ପରାଜୟ ହୋଇଛି ।
ବିଭାଜନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଳାଇଥିବା ଉଦ୍ଧବଙ୍କ ଶିବସେନା କ୍ରମଶଃ ଦୁର୍ବଳ ହେଉଛି । ମହାବିକାଶ ଅଘାଡିର ପ୍ରମୁଖ ଦଳ ହେଉଥିଲେ ମଧ୍ୟ ଉଦ୍ଧବଙ୍କ ଶିବସେନା ମାତ ୨୦ଟି ବିଧାନସଭା ଆସନ ଜିତିପାରିଥିଲା । ପ୍ରତ୍ୟେକ ଦିନ ଉଦ୍ଧବଙ୍କ ଶିବସେନାର କର୍ମୀ ଓ ପ୍ରମୁଖ ନେତାମାନେ ଶାସକ ଶିବସେନାରେ ଯୋଗ ଦେଉଛନ୍ତି । ଏଭଳି ସ୍ଥଳରେ ଉଦ୍ଧବ ଏକୁଟିଆ ପୌର ନିର୍ବାଚନ ଲଢ଼ିବା ସ୍ଥିତିରେ ନାହାନ୍ତି। ସେହିଭଳି ରାଜ ଠାକରେଙ୍କ ନବ ନିର୍ମାଣ ସେନା ଗତ ବିଧାନସଭା ନିର୍ବାଚନରେ ୧୦୦ରୁ ଅଧିକ ଆସନରେ ଲଢ଼ିଥିଲେ ମଧ୍ୟ କୌଣସିରେ ଜିତପାରିନଥିଲା ।
ଏପରିକି ରାଜ ନିଜ ପୁଅ ଅମିତକୁ ମୁମ୍ବାଇର ମାହିମରୁ ବିଜୟୀ କରିବାରେ ବିଫଳ ହୋଇଥିଲେ । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ସମୟରେ ରାଜ ଠାକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମର୍ଥନ କରିଥିଲେ ମଧ୍ୟ ତା ବଦଳରେ ବିଜେପି ତାଙ୍କୁ କୌଣସି ରାଜନୈତିକ ଫାଇଦା ଦେଇ ନାହିଁ । ଏପରି ସମୟରେ ଶାସକ ମେଣ୍ଟରେ ରହିବା କୌଣସି ଯଥାର୍ଥ ଅଛି ବୋଲି ରାଜ ଅନୁଭବ କରୁନାହାଁନ୍ତି । ତେଣୁ ସେ ମଧ୍ୟ ପୌର ନିର୍ବାଚନରେ ତାଙ୍କ ଦଳକୁ ସଫଳତା ଦେବାକୁ ଚାହୁଁଛନ୍ତି । ଦୁଇ ଭାଇଙ୍କ ପାଇଁ ପୌର ନିର୍ବାଚନ ଏକ ଅସ୍ତିତ୍ବର ଲଢ଼େଇ । ନିଜ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଏବେ ଦୁଇ ଭାଇ ହିନ୍ଦୀ ଭାଷା ଲଦିବା ପ୍ରସଙ୍ଗକୁ ଆଳ କରି ଏକାଠି ହୋଇଛନ୍ତି ।