କନକ ବ୍ୟୁରୋ : ଦିନେ ବର୍ଷା ହେଲେ ୭ଦିନ ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ଜମି ରହୁଛି ବର୍ଷାପାଣି । ବର୍ଷା ପାଣି ନିଷ୍କାସନ ପାଇଁ ନାହିଁ ବାଟ । ଗାଁରେ ଅପରିଷ୍କାର ପାଣି ଜମି ରହିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଉଛି । ଅନେକ ଲୋକ ଚର୍ମରୋଗ ସହ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରେ ପଡ଼ୁଛନ୍ତି । ଜଳବନ୍ଦୀ ଜୀବନ ବିତାଉଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ସୁବଳପୁର ମାଟିଆ ସାହି ବାସିନ୍ଦା । ପିପିଲି ସୁବଳପୁର ମାଟିଆ ସାହିରେ ବସବାସ କରନ୍ତି ୩୦ରୁ ଅଧିକ ପରିବାର । ଦୀର୍ଘ ବର୍ଷ ହେଲାଣି ସମସ୍ୟା ଘେରରେ ସାହି ବାସିନ୍ଦା । ଅସରାଏ ବର୍ଷା ହେଲେ ଗାଁ ଲୋକଙ୍କ ମନରେ ପଶେ ଛନକା । ଗାଁ ଦାଣ୍ଡରେ ଜମିରୁହେ ବର୍ଷାଜଳ । ଅପରିଷ୍କାର ପାଣି ଭିତରେ ଯା'ଆସ କରିବାକୁ ବାଧ୍ୟ ହୁଅନ୍ତି ପିଲାଠୁ ବୟସ୍କ ସମସ୍ତେ ।
ଏହି ସମସ୍ୟା କେବଳ ଏଇ ବର୍ଷର ନୁହେଁ। ବର୍ଷବର୍ଷ ଧରି ସମସ୍ୟା ଘେରରେ ରହିଛନ୍ତି ମାଟିଆ ସାହି ବାସିନ୍ଦା । ନେତା, ମନ୍ତ୍ରୀ, ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଛନ୍ତି । ହେଲେ ସମସ୍ୟା ସମାଧାନର ବାଟ ବାହାରି ପାରିନି । ପଚା ପାଣିରେ ପଶି ଯିବା ଆସିବା କରିବାରୁ ବିଭିନ୍ନ ପ୍ରକାର ଚର୍ମରୋଗ ଓ ସଂକ୍ରାମକ ରୋଗ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷ ବର୍ଷ ଧରି ପାଣି ଘେରରେ ରହୁଥିବା ମାଟିଆ ସାହିଙ୍କ ଦୁଃଖ ସତରେ କେବେ ଦୂର ହେବ ତାହା କେବଳ ସମୟ କହିବ ।