କନକ ବ୍ୟୁରୋ : ବର୍ତ୍ତମାନ ସାରା ଦେଶରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ବାହାରକୁ ବାହାରିବାକୁ ମଧ୍ୟ ଏକପ୍ରକାର ବିରକ୍ତ ଲାଗୁଛି । ବର୍ଷା କାରଣରୁ ବାହାରର କୀଟପତଙ୍ଗ ମଧ୍ୟ ଘର ଭିତରକୁ ପ୍ରବେଶ କରୁଛନ୍ତି । ଘର କୋଣରେ ହେଉ କି ଜୋତା ଷ୍ଟାଣ୍ଡରେ କୀଟପତଙ୍ଗଠାରୁ ଆରମ୍ଭ କରି ଝିଟିପିଟି ମଧ୍ୟ ଏହି ସମୟରେ ଦେଖିବାକୁ ମିଳିଯିବେ । କିନ୍ତୁ କ’ଣ ହେବ ଯେତେବେଳେ ଘରେ ଆସି ସାପ ରହିବେ ? ପାଠକବନ୍ଧୁ ହଁ ଆମ ଅଗୋଚରରେ ଏହି ସମୟରେ ଘରେ ଆସି ଏଭଳି ବିଷାକ୍ତ ସାପ ପଶିଯା’ନ୍ତି ଯାହା ବେଳେବେଳେ ଜୀବନ ହାନୀର କାରଣ ମଧ୍ୟ ପାଲଟିଯାଏ । ଆପଣ ଅନେକ ସମୟରେ ଦେଖିଥିବେ ଯେ ବର୍ଷା ଦିନରେ ବାହାରେ ରଖା ଯାଇଥିବା ଜୋତାରୁ ବେଳେବେଳେ ସାପ ବାହାରିଯାଏ । ଯେଉଁଥିପାଇଁ ଅନେକ ଜୀବନ ମଧ୍ୟ ଅକାଳରେ ଚାଲିଯାଇଛି । 

Advertisment
manju
manju Photograph: (google)

ବର୍ତ୍ତମାନ ବାଙ୍ଗାଲୁରୁର ଜଣେ ୪୧ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟରଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ଯୁବକ ମଞ୍ଜୁ ପ୍ରକାଶଙ୍କ କ୍ରକ୍ସ ଜୋତାରେ ସାପଟି ଥିବାରୁ ତାଙ୍କ ନଜର ଏଥିରେ ପଡ଼ିନଥିଲା । ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଲା । କର୍ଣ୍ଣାଟକର ରାଜଧାନୀ ବାନେରଘାଟ୍ଟା ଅଞ୍ଚଳରେ ରହୁଥିବା ସଫ୍ଟୱେର୍ ଇଞ୍ଜିନିୟର ଘର ବାହାରେ ଜୋତା ଛାଡ଼ି ଭିତରକୁ ଯାଇଥିଲେ ଏବଂ କିଛି ସମୟ ପରେ ଆସି ଜୋତା ପିନ୍ଧିବାରୁ ତାଙ୍କୁ ସର୍ପ ଦଂଶନ କରିଥିଲା । ଯେହେତୁ ପୂର୍ବରୁ ପ୍ରକାଶଙ୍କ ଗୋଡ଼ରେ ଆଘାତ ହୋଇଥିଲା ତେଣୁ ସାପ କାମୁଡ଼ାକୁ ସେ ଅନୁଭବ କରିପାରିନଥିଲେ । ବାହାରୁ କାମ ସାରି ସେ ଯେତେବେଳେ ଘରକୁ ଫେରିଲେ ଘରର ସଦସ୍ୟ ଜୋତା ଭିତରେ ସାପ ଦେଖିବାକୁ ପାଇଥିଲେ । ସାପକୁ ତ ଘରଲୋକ ମାରିଦେଇଥିଲେ କିନ୍ତୁ ରୁମରେ ଶୋଇଥିବା ମଞ୍ଜୁଙ୍କୁ ଉଠାଇବାକୁ ଚେଷ୍ଟା କଲା ବେଳକୁ ସେ ଆଉ ଉଠିଲେ ନାହିଁ । ବ୍ୟତିବ୍ୟସ୍ତ ହୋଇ ପରିବାର ପୁଅକୁ ନେଇ ହସ୍ପିଟାଲ୍ ଦୌଡ଼ିଲେ କିନ୍ତୁ ସେତେବେଳକୁ ନେଡ଼ି ଗୋଡ଼ କହୁଣିକୁ ବୋହି ଯାଇଥିଲା । ସାପ କାମୁଡ଼ାରେ ଆରପାରିକୁ ଚାଲିଯାଇଥିଲେ ଯୁବ ସଫ୍ଟୱେର୍ ଇଞ୍ଜିନିୟର ମଞ୍ଜୁ ପ୍ରକାଶ । 

ତେବେ ଏହି ଘଟଣାଟି ପୂରା ବାଙ୍ଗାଲୋରକୁ ଯେମିତି ଡରାଇ ଯାଇଛି । ଆଜିର ସମୟରେ ଅଧିକାଂଶ ଯୁବପିଢ଼ି କ୍ରକ୍ସ , ବୁଟ୍ , ସ୍ନିକର୍ ପିନ୍ଧିବାକୁ ପସନ୍ଦ କରନ୍ତି ଆଉ ଏତିକି ବେଳେ ଯଦି ଜୋତା ଭିତରେ ଛୋଟ ସାପଟିଏ ରହିଗଲା ଜୀବନ ଯିବାଟା ସାର । ତେଣୁ ବର୍ଷାଦିନରେ ବାହାରେ ଜୋତା, ବୁଟ୍ ରଖିବାରୁ ଦୂରେଇ ରୁହନ୍ତୁ ଏବଂ ଜୋତା ପିନ୍ଧିବା ପୂର୍ବରୁ ଥରେ ଝାଡ଼ି ପିନ୍ଧନ୍ତୁ ।