କନକ ବ୍ୟୁରୋ : ବ୍ଲଡ ବ୍ୟାଙ୍କରେ ପଶିଲା ବର୍ଷା ପାଣି । ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡ଼ି ମାରୁଛି ବର୍ଷା ପାଣି । ଗତ ତିନି ଦିନରୁ ସୁନ୍ଦରଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ବ୍ଲଡ ବ୍ୟାଙ୍କରେ ପାଣି ଭରିଯାଇଥିଲା । ବ୍ଲଡ ବ୍ୟାଙ୍କ୍ ଖୋଲିଲା ବେଳକୁ ଭିତରେ ପାଣି ଦେଖିବାକୁ ପାଇଥିଲେ କର୍ମଚାରୀ । କର୍ମଚାରୀମାନେ ରୁମରୁ ପାଣି ବାହାର କଲା ପରେ ସ୍ଥିତି ସାମାନ୍ୟ ହୋଇଥିଲା କିନ୍ତୁ ସାମ୍ନା ପଟ ବାରଣ୍ଡାରେ ଭରି ରହିଥିଲା ବର୍ଷା ପାଣି । କେବଳ ଚଳିତ ବର୍ଷ ନୁହେଁ ଏଠାରେ ପ୍ରତି ବର୍ଷ ବର୍ଷା ଦିନରେ ସମାନ ଅବସ୍ଥା ଦେଖିବାକୁ ମିଳେ । ତେବେ ଏହାର କୌଣସି ସ୍ଥାୟୀ ସମାଧାନ କାହିଁକି କରାଯାଉ ନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।