କନକ ବ୍ୟୁରୋ:  ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଶେଷକରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ। କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି । ଆଉ କେଉଁଠି ବ୍ରିଜ କାମ ଲାଗି ଥିବା ବେଳେ ଭସାଇ ନେଲା ସଟର ପ୍ଲେଟ ଗାଡି ସମେତ ଅସ୍ଥାୟୀ ରାସ୍ତା ଘାଟ । ଦିଗପହଣ୍ଡିର ଘୋଡ଼ାହାଡ଼ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସର୍ତକ କରାଇଛି ଘୋଡ଼ାହାଡ଼ ଜଳ ସେଚନ ବିଭାଗ । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି ।

Advertisment

ବାହୁଦା ନଦୀ ଶଯ୍ୟାରେ ବ୍ରିଜ କାମ ଚାଲିଥିବା ଯୋଗୁଁ କରାଯାଇଥିଲା ଅସ୍ଥାୟୀ ରାସ୍ତା। ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି । ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ମହେନ୍ଦ୍ରଗିରି ପର୍ବତରେ ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ବଢ଼ିଯିବାରୁ ଫସି ରହିଛନ୍ତି ୧୫ ପର୍ଯ୍ୟଟକ। ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ମାଟି ଅତଡା ଧସିବା ସହ ପ୍ରଖର ବେଗରେ ପାଣି ମାଡ଼ି ଆସିଥିଲା । ଫଳରେ ମହେନ୍ଦ୍ରଗିରିକୁ ଯାଇଥିବା ୧୫ରୁ ଅଧିକ ପର୍ଯ୍ୟଟକ ଫଶି ରହିଛନ୍ତି । ପର୍ବତ ଉପରୁ ତଳକୁ ଆସିପାରୁନାହାନ୍ତି ପର୍ଯ୍ୟଟକ । ସମସ୍ତ ପର୍ଯ୍ୟଟକ କଟକ ଓ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ସଫା ପାଇଁ ଉଦ୍ୟମ କରୁଛି ।